ପିପିଲିରେ ମହାରଥୀଙ୍କ ଉତ୍ତରାଧିକାରୀ ଭାବେ କାହାକୁ ବାଛିବ ବିଜେଡି: ପୁଅ ରୁଦ୍ର ନା ପତ୍ନୀ ପ୍ରତିଭା
ମହାରଥୀ ଲେଗେସିକୁ କିଏ ବଢାଇବ?
ପୁରୀ: ମହାରଥୀ ଲେଗେସିକୁ କିଏ ବଢାଇବ? ଆଗକୁ ପିପିଲିରେ ଉପ ନିର୍ବାଚନ ଆସନ୍ନ ମହାରଥୀଙ୍କ ପରିବାରରୁ ଟିକେଟ ପାଇଁ ପୁଅ ଏବଂ ପତ୍ନି ଉଭୟ ଲବି କରୁଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡି ମହାରଥୀଙ୍କ ପରିବାର କାହାକୁ ଟିକେଟ ଦେବ ନା ପରିବାର ବାହାରୁ କାହାକୁ ବଛାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ସେପଟେ ପ୍ରମୁଖ ବିରୋଧୀ ଦଳ ବିଜେପି ଏହି ଗଡ଼କୁ ଭାଙ୍ଗିବାକୁ ରଣନୀତି କରୁଛି। କଂଗ୍ରେସ ବି କସରତ ଆରମ୍ଭ କରିସାରିଲାଣି।
କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନି ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି।
ତେବେ ବିଜେଡି ସୁପ୍ରିମୋ କାହାକୁ ଦେବେ ଟିକେଟ୍? ବର୍ତ୍ତମାନ ବିଜେଡି ଫୋକସରେ ଉଭୟ ମହିଳା ଓ ଯୁବ ଗୋଷ୍ଠୀ। ତେଣୁ ଟିକେଟ୍ କାହାକୁ ମିଳିବ, ସେନେଇ ସ୍ପଷ୍ଟତା ଆସି ନଥିବାବେଳେ ଉଭୟ କିନ୍ତୁ ନିଜ ନିଜ ତରିକାରେ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଭା ସମିତି ସହ କର୍ମୀଙ୍କୁ ଏକଜୁଟ୍ କରାଇବାକୁ ପିପିଲିରେ ଅଲଗା ଅଲଗା ଘନ ଘନ ବୈଠକ କରୁଛନ୍ତି ମା ଓ ପୁଅ। ହେଲେ ଟିକଟ୍ ନିଷ୍ପତ୍ତି କିନ୍ତୁ ଦଳର ସୁପ୍ରିମୋଙ୍କ ଉପରେ ଛାଡିଛନ୍ତି ପ୍ରତିଭା ଓ ରୁଦ୍ର।
ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଗତବର୍ଷ ଅକ୍ଟୋବର ୪ରେ ହୋଇଥିଲା। ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ଉପ-ନିର୍ବାଚନ ସରିବ। ଏଣୁ ଯେ କୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ। ଏଥିଲାଗି ଶାସକ ବିଜେଡି ଆଜି ପିପିିଲି ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ନିଯୁକ୍ତ କରିଛି। ସେପଟେ ବିଜେପି ଓ କଂଗ୍ରେସ ବି ବେଶ ଆଶାବାଦୀ ଅଛନ୍ତି।
ମାତ୍ର ନିକଟରେ ଶେଷ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ନିଜ ଗଡ଼ ବାଲେଶ୍ୱରକୁ ହରାଇଥିବା ବେଳେ ତିର୍ତ୍ତୋଲରେ ବି ପରାଜୟର ଦଶା ଭୋଗିବାକୁ ପଡ଼ିଥିଲା। ସେପଟେ କଂଗ୍ରେସ ଉଭୟ ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। କିନ୍ତୁ ଏଥର ବିଜେପି ବାଲେଶ୍ୱରର ବଦଲା ପିପିଲିରେ ନେବାକୁ ପ୍ରୟାସ ଚଳାଇଥିବାବେଳେ କଂଗ୍ରେସ ନିଜ ବଳ ସାଉଁଟୁଛି।
୨୦୦୦ ମସିହା ପରଠାରୁ ପ୍ରଦୀପ ମହାରଥୀ ବିଜେଡି ଟିକଟରେ ଲଗାତର ଭାବେ ପିପିଲିରୁ ନିର୍ବାଚିତ ହୋଇ ଆସିଥିଲେ। ଅନ୍ୟପଟେ ୨୦୦୮ ପରଠୁ କ୍ରମାଗତ ବିଭିନ୍ନ ଉପନିର୍ବାଚନରେ ନବୀନ ନିଜକୁ ଅପରାଜେୟ ସାବ୍ୟସ୍ତ କରିଛନ୍ତି। ତେବେ ଏଥର ପିପିଲି ଉପନିର୍ବାନ ଟ୍ରେଣ୍ଡ ବଦଳାଇବ କି ନାହିଁ, ତୋକୁ ନେଇ ଉତ୍କଣ୍ଠା ଲାଗି ରହିଛି।
ଆଳିରୁ ବନମାଳି ସାହୁ, ଭୁବନେଶ୍ୱରରୁ ନିରଞ୍ଜନ ରେଡୀ ଓ ଜଗଦୀଶ ଦାସଙ୍କ ରିପୋର୍ଟ