ରାଜ୍ୟ ବିଜେପି ମୁଖ୍ୟ ଦୌଡ଼ରେ ଏମାନେ; କାଲି ହେବ ଘୋଷଣା

ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ। ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରୁ କେହି ସଭାପତି ପଦରେ ବସିପାରନ୍ତି ବୋଲି କୁହାଯାଉଛି।

ତେବେ ରାଜ୍ୟ ଉପସଭାପତି ଥିବା ସମୀର ମହାନ୍ତି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି। ଏବେ ରାଜ୍ୟ ଉପସଭାପତି ଥିବା ସମୀରଙ୍କ ନାଁକୁ ନେଇ ସହମତି ହୋଇଥିବା କୁହାଯାଉଛି। ରେସ୍‌ରେ ଥିବା ଆଉଜଣେ ପ୍ରାର୍ଥୀ ହେଉଛନ୍ତି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ। ପୃଥ୍ୱୀରାଜ ଚିଲିକା ବିଧାନସଭା ଆସନରୁ ଲଢି ପରାଜିତ ହୋଇଥିଲେ। ସେପଟେ  ବର୍ତ୍ତମାନ ସଭାପତି ଥିବା ବସନ୍ତ ପଣ୍ଡା ଓ ପୂର୍ବରୁ ସଭାପତି ଥିବା କନକ ବର୍ଦ୍ଧନ ସିଂ ଦେଓଙ୍କ ନାଁକୁ  ନେଇ ବି ଚର୍ଚ୍ଚା ଲାଗିରହିଛି। ତେବେ ଜଣଙ୍କ ନାଁରେ ସହମତି ହେବ ଓ ସେ ହିଁ ନାମାଙ୍କନ ଭରିବେ।

୨୦୦୪ ପରଠାରୁ ପଶ୍ଚିମ ଓଡ଼ିଶାର ନେତାଙ୍କ ହାତରେ ରହିଛି ରାଜ୍ୟ ବିଜେପିର ଡୋରି।  ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା  ଆସନରୁ ବିଜେପି ଏଥର ୮ ଆସନକୁ ହାତେଇଛି। ସଭାପତି ଥିବା ବସନ୍ତ ପଣ୍ଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରୁ ବି ମଙ୍ଗୁଆଳ ପାଇଁ ଅନେକ ଦାବିଦାର ଅଛନ୍ତି। ତେବେ ଏଥର ଉପକୂଳ ନେତାଙ୍କୁ କେନ୍ଦ୍ରୀୟ ନେତା ଭରସା କରିପାରନ୍ତି ବୋଲି କୁହାଯାଉଛି। କାହିଁକି ନା ପଶ୍ଚିମ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ସଂଗଠନ ଥିବା ବିଜେପିର ଏଥର ନିର୍ବାଚନରେ ଭୋଟ୍ ପ୍ରତିଶତ ବଢ଼ିଛି। ଉପକୂଳରୁ ୫ ବିଧାୟକ ବିଧାନସଭାକୁ ଆସିଛନ୍ତି। ତେଣୁ ସଂଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଉପକୂଳ ନେତାଙ୍କୁ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ରହିଛି।

You might also like