ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ପଛରେ ଦାୟୀ କିଏ?

ଅଚାନକ୍ ପୁଣି ଚର୍ଚ୍ଚାରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର: ଅଚାନକ୍ ପୁଣି ଚର୍ଚ୍ଚାରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ। ଭୁବନେଶ୍ୱରର ସମାଜସେବୀ ଆଦିତ୍ୟଙ୍କ ସନ୍ଦେହଜନକ ମୃତ୍ୟୁର ପ୍ରାୟ ୫ ମାସ ପରେ, ବାରମ୍ବାର ମାନସିକ ଭାବେ ନିର୍ଯାତିତ ହେଉଥିବା ଅଭିଯୋଗ ଆଣି ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୋସିଆଲ ମିଡିଆ ଲାଇଭ୍ ଭିଡିଓରେ ମାତ୍ରାଧିକ ନିଦ ବଟିକା ଖାଇବା ସହ, ଏଥିପାଇଁ ଦାୟୀ ବୋଲି ଦର୍ଶାଇ ୧୦ରୁ ଅଧିକ ନାଁ ନେଇଛନ୍ତି। ଏବେ ଗୁରୁତର ଅବସ୍ଥାରେ ସେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ମାନସିକ ନିର୍ଯାତନାର ଶିକାର ହୋଇ ଫେସବୁକ୍ ଲାଇଭରେ ଆତ୍ମହତ୍ୟା ଉଦ୍ୟମ। ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ, ଆଜି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ମୋତେ ମାନସିକ ଭାବେ ଦୁଷ୍କର୍ମ କରାଯାଇଛି। ମୋର ବଞ୍ଚିବାକୁ ଇଚ୍ଛା ନାହିଁ। ସ୍ୱାମୀ ଗଲା ପରେ ଯେମିତି ସ୍ତ୍ରୀ ମାରିଦେଲା ବୋଲି ପ୍ରଚାର ହେଲା, ସେମିତି ଆଗକୁ ପ୍ରଚାର ନହେଉ ଘର ଲୋକ ମିଶିକି ମାରିଦେଲେ ବୋଲି ସେଥିପାଇଁ ମୁଁ ଲାଇଭ୍ ଭିଡିଓ ବନେଇଛି।

ତେବେ ବଡକଥା ହେଉଛି ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ କିଏ? କେଉଁମାନେ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା? ୬ ମିନିଟ ୧୭ ସେକେଣ୍ଡ ଭିଡିଓରେ ଏକ ଡାଏରୀ ଦେଖାଇ ଏକଥା ନିଜେ ଖୁଲାସା କରିଛନ୍ତି ବିଦ୍ୟାଶ୍ରୀ। ଶୁଭାଶିଷ ଷଡ଼ଙ୍ଗୀ, ବାଲେଶ୍ୱରର ବିଶ୍ୱଜିତ, ପିପୁଲ୍ ଫଲ୍ ସେବାର ମନୋଜ ସିଂ ଓ ପ୍ରେସିଡେଣ୍ଟ୍ ପ୍ରୀତମ ମିଶ୍ର, ଶିବାୟ ସାହୁ, ଦୁବାଇର ରାକେଶ ଜେନା, ଏସ୍ କେ ମହାରଣା, ଶିଳ୍ପୀଶ୍ରୀ ପଣ୍ଡା, କବିତା ଦାସ, ପୁଷ୍ପଲତା ମହାନ୍ତି ଏବଂ ସୁଦୀପ୍ତା ଦାସଙ୍କ ସହ ପୂର୍ବରୁ ଚର୍ଚ୍ଚାରେ ଥିବା ପପୁ ଓ ବିକାଶଙ୍କ ନାଁ ବି ନେଇଛନ୍ତି ବିଦ୍ୟାଶ୍ରୀ।

ତାଙ୍କର ଏଭଳି ଚେଷ୍ଟା ପାଇଁ ଏମାନେ ଦାୟୀ ବୋଲି କହିବା ସହ, ଏମାନଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କହିଛନ୍ତି, ମିଛ କହି ଲୋକଙ୍କୁ ଭକୁଆ ବନାଯାଉଛି। ମୋ ପରିବାରଠୁ ମୋତେ ଅଲଗା କରାଯାଇଛି ଓ ପ୍ରତିଦିନ ମୋ ଇଜ୍ଜତ ଲୁଟାଯାଉଛି। ବାରମ୍ବାର FIR ଦେବା ପରେ ବି ପୋଲିସ ବିଭାଗ କିଛି କରୁନି। ତେବେ ବିଦ୍ୟାଶ୍ରୀଙ୍କ ଅଭିଯୋଗ ନେଇ ପୋଲିସ କିମ୍ବା ଏମାନଙ୍କ ମଧ୍ୟରୁ କାହାର ପ୍ରତିକ୍ରିୟା ମିଳିପାରିନି।

ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର ହେବା ପରେ, ସେଠାରେ ଚିକିତ୍ସିତ ହେଉଛନ୍ତି ବିଦ୍ୟାଶ୍ରୀ। ସେପଟେ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିସାରିଛି। ଦେଖିବାକୁ ବାକି ରହିଲା କେବେ ଧରାପଡିବ ପ୍ରକୃତ ହତ୍ୟାକାରୀ?

You might also like