ପରୀ ସହ ଦୁଷ୍କର୍ମ କଲା କିଏ ? ହତ୍ୟାକାରୀ ଧରାପଡିବ କେବେ?

ହତ୍ୟାକାରୀ ଧରାପଡିବ କେବେ?

ନୟାଗଡ : ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣାରେ ନୂଆ ମୋଡ଼। ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ ହୋଇଛି ଏବଂ ଅଭିଯୁକ୍ତ ବି ସେଇ ଗାଁର ହୋଇଥାଇପାରନ୍ତି ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ପ୍ରାଥମିକ ତଦନ୍ତ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରହିଥିବା ସୂଚନା ମିଳିଛି। ହେଲେ ପରୀ ମୃତଦେହ ମିଳିବାର ପାଖାପାଖି ୫ ମାସ ପରେ ଏସ୍ଆଇଟିର ଏ ଖୁଲାସାକୁ ନେଇ ପ୍ରଶ୍ନ ଉଠିଛି।

ମୁଦା ଲଫାପାରେ ଆଜି ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ପ୍ରାଥମିକ ରିପୋର୍ଟରେ କୁଆଡ଼େ ରହିଛି ମୋଡ଼ ବଦଳିଗଲା ଭଳି ତଥ୍ୟ। ମିଳିଥିବା ସୂଚନା ଅନୁଯାୟୀ, ସେ ତଥ୍ୟ ହେଉଛି- ହତ୍ୟା ପୂର୍ବରୁ ପୀଡ଼ିତାର ଶରୀର ଉଲଗ୍ନ ଥିଲା। ସାଇଣ୍ଟିଫିକ୍ ପରୀକ୍ଷଣରୁ ପୀଡ଼ିତା ପୋଷାକରୁ ସିମେନରେ ଦାଗ ମିଳିଥିଲା। ତେଣୁ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି। ସେହି ଗାଁର ହିଁ କେହି ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥାଇପାରେ ବୋଲି କୁହାଯାଉଛି। ତେବେ ଯଦି ଏସଆଇଟି ତଦନ୍ତରୁ ଏସବୁ ଆସିଛି, ଅଭିଯୁକ୍ତକୁ ଗିରଫ କରାଯାଉନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପରୀର ପରିବାର। ଏଥିସହ ହତ୍ୟା ପଛରେ ବାବୁଲି ନାୟକ ଓ ଅଙ୍ଗ ତସ୍କରୀ ରାକେଟ୍ ଥିବା ଦୋହରାଇ ଏସଆଇଟି ତଦନ୍ତରେ ଅଭିଯୁକ୍ତ ଧରା ନପଡ଼ିଲେ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଜୁଲାଇ ୧୪ରୁ ନିଖୋଜ ତାର ୯ ଦିନ ପରେ ଅର୍ଥାତ୍ ଜୁଲାଇ ୨୩ ତାରିଖରେ ଘର ବାଡିପଟୁ ଏକ ବସ୍ତାରେ ବନ୍ଧା ଥିବା ଅବସ୍ଥାରେ ପରୀର ହାଡ଼ ଉଦ୍ଧାର କରିଥିଲା ପୋଲିସ୍। ହେଲେ ଏଠି ପ୍ରଶ୍ନ ଘଟଣାର ୫ ମାସ ପରେ ଏସଆଇଟି ହାତରେ ଲାଗିଥିବା ଏ ତଥ୍ୟ ତଦନ୍ତର କେଉଁ ପର୍ଯ୍ୟାୟରେ ଜଣାପଡ଼ିଲା ? ମୃତଦେହର ବ୍ୟବଚ୍ଛେଦ ଏବଂ ଫରେନସିକ୍ ଯାଞ୍ଚ ସମୟରେ ଏ ତଥ୍ୟ ସାମ୍ନାକୁ ଆସିଥିଲା ତ ? ଯଦି ଆସିଥିଲା, କାହିଁକି ପୋଲିସ୍ ସାମ୍ନାକୁ ଆଣୁ ନଥିଲା ? ଏହା ପଛର କଣ କାରଣ ହୋଇପାରେ ? ଦୁଷ୍କର୍ମ ଦିଗକୁ ଚପାଇ ଦିଆଯିବାର ଉଦ୍ୟମ ହୋଇନଥିଲା ତ ? ତେବେ ଏ ଅନାଲୋଚିତ ତଥ୍ୟ ଏସଆଇଟି ତଦନ୍ତ ବେଳେ ସାମ୍ନାକୁ ଆସିବା,ଏବଂ ବିଶେଷକରି ଘଟଣାକୁ ନେଇ ସାରା ଓଡ଼ିଶାର ତମ୍ବି ତୋଫାନ୍ ପରେ ସାମ୍ନାକୁ ଆସିବା, ଅନେକ କୁହେଳିକା ସୃଷ୍ଟି କରିଛି।

ବିଜେପି ବି ଏସଆଇଟି ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ପ୍ରକାଶ କରି ମାମଲାର ଦିଗ ବଦଳାଇବାର ଏହା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ହେଲେ ଏ ନେଇ ସରକାରୀ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ।

 

You might also like