କିଡ଼ନୀ କେଳେଙ୍କାରୀରେ କାହାର ରହିଛି ସଂପୃକ୍ତି? ସମସ୍ତଙ୍କ ମୁଖା ଖୋଲିବ ହିମାଂଶୁ…

ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା

ଭୁବନେଶ୍ୱର: କିଡ୍ନୀ କେଳେଙ୍କାରୀରେ କାହାର ରହିଛି ସଂପୃକ୍ତି? ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା। ନକଲି ଡୋନର୍ ସାଜି କେଉଁମାନେ ସାମିଲ ଥିଲେ କିଡ୍ନୀ କ୍ରାଇମରେ? ଏସବୁ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ଏବେ ସୁଦ୍ଧା ଚାରି ଚାରିଟି ମାମଲା ସାମ୍ନାକୁ ଆସିବା ସହ କୋଲକାତା ଲିଙ୍କ୍ ବି ଧରାପଡ଼ିଲାଣି। ହେଲେ ବିଡ଼ମ୍ବନା, ଏ ସମ୍ପର୍କରେ କିନ୍ତୁ ଖବର ନାହିଁ ସ୍ୱାସ୍ଥ୍ୟ ବିଭାଗ ପାଖରେ।

କାହା ସହ ୫ ଲକ୍ଷ ତ ଆଉ କାହା ସହ ୧୮ ଲକ୍ଷର ଡିଲ୍। ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍ନୀ ଯୋଗାଣ ନାଁରେ ଲକ୍ଷ ଲକ୍ଷର ଚୂନା ଲଗାଇ ହୋସ୍ ଉଠାଇଛି ହିମାଂଶୁ ନନ୍ଦ। ମିଛିମିଛିକା ଡୋନର୍ ସଜାଇ ନକଲି କାଗଜପତ୍ର ଦେଖାଇ ହଡପ୍ କରିଛି ଲକ୍ଷ ଲକ୍ଷ ଟଙ୍କା। ଭୁବନେଶ୍ୱର ନିକଟ ଉତ୍ତରାରେ ରହୁଥିବା ହିଂମାଶୁ ହେଉଛି ସେହି କେଳେଙ୍କାରୀର ମାଷ୍ଟରମାଇଣ୍ଡ। ପଟ୍ଟାମୁଣ୍ଡାଇର ହିମାଂଶୁ ନନ୍ଦ। ଯାହାକୁ ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।

କାହା ଛତ୍ରଛାୟାରେ ରହି ହିମାଂଶୁ ଚଳାଇଛି ଏହି କେଳେଙ୍କାରୀ? କାହାକୁ ସତରେ ସେ କିଡ୍ନୀ ଯୋଗାଇଛି କି? ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ମାର୍କେଟିଂ ବିଭାଗରେ କାମ କରିଥିବାରୁ ଏହି ରାକେଟ୍ ପଛରେ କୌଣସି ଡାକ୍ତର, ମେଡ଼ିକାଲ୍ କର୍ମଚାରୀ କିମ୍ବା ଡୋନର୍ଙ୍କ ରହିଛି କି ସଂପୃକ୍ତି? ରୋଗୀଙ୍କଠାରୁ ହଡପ ଟଙ୍କା କେଉଁଥିରେ ସେ ବିନିଯୋଗ କରିଛି? ୩ ଦିନିଆ ରିମାଣ୍ଡ ଅବଧି ଭିତରେ ଏସବୁର ସତ ଓଗାଳିବ ହିମାଂଶୁ।

କିଡ୍ନୀ ରାକେଟରେ ହିମାଂଶୁର ସଂପୃକ୍ତି ନେଇ ଏଯାଏଁ ସାମ୍ନାକୁ ଆସିଲାଣି ୪ଟି ମାମଲା। କେନ୍ଦ୍ରାପଡ଼ା ମାର୍ଶାଘାଇର ଆଲୋକ ରଞ୍ଜନ ଚଇନୀ। ତାଙ୍କୁ କିଡ୍ନୀ ଯୋଗାଇଦେବାକୁ କହି ସାଢ଼େ ୮ ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି ହିମାଂଶୁ ଏବଂ ତାହାର ସହଯୋଗୀ। ୨୦୧୫ରେ ଏନେଇ ଥାନାରେ ବି ଅଭିଯୋଗ ହୋଇଥିଲା। ହେଲେ ହିମାଂଶୁ ଧରାପଡ଼ିବା ପରେ ଆଜି ସାମ୍ନାକୁ ଆସିଛି ସତ। ହିମାଂଶୁ ଏବଂ ସହଯୋଗୀ ସଞ୍ଜୟ ପଲେଇ ନିଜକୁ ଅଙ୍ଗ ପ୍ରତ୍ୟାରୋପଣ ୟୁନିଟର ରିଜିଓନାଲ୍ କୋ-ଅର୍ଡିନେଟର୍ ବୋଲି ପରିଚୟ ଦେଇ ଟଙ୍କା ନେଇଯାଇଥିବା କହିଛନ୍ତି ଆଲୋକ।

ପୂର୍ବରୁ ନୟାପଲ୍ଲୀର ପ୍ରତାପ ମିଶ୍ରଙ୍କୁୁ ୫ ଲକ୍ଷ ୫୦ ହଜାର, ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ୩ ଲକ୍ଷ ୧୯ ହଜାର ଏବଂ ମଞ୍ଚେଶ୍ୱରର ଅଶୋକ ନାୟକଙ୍କୁ ୧୮ ଲକ୍ଷ ୫୨ ହଜାର ଟଙ୍କାର ଚୂନା ଲଗାଇଛି ହିମାଂଶୁ। ଏହି କେଳେଙ୍କାରୀ ସମ୍ପର୍କରେ କ୍ରମାଗତ ଖବର ପ୍ରସାରଣ ସତ୍ତ୍ୱେ ସ୍ୱାସ୍ଥ୍ୟବିଭାଗ ଜାଣିନାହିଁ । ଆଜି ଆମ ପ୍ରତିନିଧିଙ୍କଠୁ ଜାଣିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ।

କିଡ୍ନୀ ପ୍ରତ୍ୟାରୋପଣ ନେଇ ସରକାରଙ୍କ ଗାଇଡ୍ ଲାଇନ କହୁଛି, ନିକଟ ସମ୍ପର୍କୀୟ କିମ୍ବା କୌଣସି ଇଚ୍ଛାକୃତ ଦାତା କିଡ୍ନୀ ଦାନ କରିପାରିବେ। କିନ୍ତୁ ଏଥିପାଇଁ କୋର୍ଟଙ୍କଠୁ ଆରମ୍ଭ କରି ଡିଏମ୍ଇଟିଙ୍କ ଯାଏଁ ଅନୁମୋଦନ ଜରୁରୀା କିଡ୍ନୀ ଦାନ ସମୟରେ ଆବଶ୍ୟକୀୟ ଏନ୍ଓସି ଥିବା ଦରକାର। କୌଣସି ଆର୍ଥିକ କାରବାରର ପ୍ରାବଧାନ ଆଦୌ ନାହିଁ। ଯଦି ଖିଲାପ ହୁଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ଝାରସୁଗୁଡ଼ାରୁ ଭାଗୀରଥି ସାହୁଙ୍କ ସହ ଭୁବନେଶ୍ୱରରୁଆଲୋକ ମହାନ୍ତିଙ୍କ ରିପୋର୍ଟ।

You might also like