କେନ୍ଦ୍ରକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲା କିଏ?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପ୍ରାୟ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଏବେ ପୁଣି ପିଏମ୍-କିଷାନରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ସାମ୍ନାକୁ ଆସିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ କହୁଛି, ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍-କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ବିଭିନ୍ନ କିସ୍ତିରେ ୪ କୋଟି ୬୮ ଲକ୍ଷ ଟଙ୍କା ବେଆଇନ ଭାବେ ହାତେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରୁ ଟଙ୍କାଟିଏ ବି ଆଦାୟ ହୋଇପାରିନି।

ତେବେ କେମିତି ଏତେ ସଂଖ୍ୟକ ଅଯୋଗ୍ୟ ଟଙ୍କା ପାଇଲେ? କେନ୍ଦ୍ରକୁ ଏମାନଙ୍କ ତାଲିକା କିଏ ଦେଲା ? ପିଏମ୍-କିଷାନର ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାରଙ୍କଠାରୁ ଯୋଗ୍ୟ ଚାଷୀଙ୍କ ତାଲିକା ପାଇବା ପରେ କେନ୍ଦ୍ର ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥାଏ। ଆଉ ସେହି ତାଲିକାରେ ଅଯୋଗ୍ୟ ପଶି ଯାଇଥିବା ଜଣାପଡ଼ିବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍ ଧରିଛି।

ରାଜ୍ୟସରକାରଙ୍କ ଭୁଲ ତାଲିକା ଯୋଗୁଁ କେନ୍ଦ୍ର ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦେଲେ। ଏହି ସମସ୍ତ ଟଙ୍କା ପେରାଇ ଆଣିବା ଦରକାର। ଏଭଳି ଭୁଲ ପାଇଁ ରାଜ୍ୟ ସରକାର ଦାୟୀ।
-ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ
ପିଏମ୍‌ କିଷାନ୍‌ ପାଇଁ ଦେଇଥିବା ତାଲିକା ରାଜ୍ୟ ସରକାର ଅନ୍ତର୍ଭୃକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯେଉଁ ତାଲିକା କରିଛନ୍ତି, ଯଦି ସେଭଳି ତ୍ରୁଟିପୂର୍ଣ୍ଣ ତାଲିକା ହୋଇଥାଏ, ତାହାହେଲେ ବ୍ୟକ୍ତିଗତ ଆକାଉଣ୍ଟରୁ ପଇସା କଟାଯିବା ଦରକାର। କୌଣସି ଚାଷୀ ଆକାଉଣ୍ଟରୁ ପଇସା କଟାଯାଇପାରିବ ନାହିଁ।
ଗୋଲକ ମହାପାତ୍ର, ସାଧାରଣ ସଂପାଦକ, ବିଜେପି
ଏନେଇ ସେମାନେ ତଥ୍ୟ ଦର୍ଶାଇବେ। ତାଙ୍କ ପାଖରେ ମଧ୍ୟ ଫୋରମ୍ ରହିଛି। କେନ୍ଦ୍ର –ରାଜ୍ୟ ଉଭୟ ଏ ନେଇ ଆଲୋଚନା କରିବେ। ଯେକୌଣସି ଯୋଜନାରେ ରୂପାୟନ କଲାବେଳେ ତ୍ରୁଟି ବିଚ୍ୟୁତି ରହିଥାଏ।
ଦେବୀ ପ୍ରସାଦ ମିଶ୍ର, ବିଜେଡି ବିଧାୟକ

ଗୋଟିଏ ପଟେ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଉଛନ୍ତି, ଅନ୍ୟପଟେ ହଜାର ହଜାର ଯୋଗ୍ୟ ଚାଷୀ କିନ୍ତୁ ଏଥିରୁ ବଞ୍ଚିତ। ମୟୂରଭଂଜ ଧାନଘେରା ପଞ୍ଚାୟତର ଚାଷୀ ଭାଗୀରଥ ପଢିଆଳ କାଳିଆ ଯୋଜାନରେ ଦୁଇଟି କିସ୍ତିରେ ୧୦ ହଜାର  ଟଙ୍କା ପାଇଥିଲେ, ହେଲେ ପିଏମ୍-କିଷାନ୍‌ରେ ବାରମ୍ବାର ଆବେଦନ କରିଥିଲେ ବି ଏ ଯାଏଁ ସହାୟତା ମିଳିନି। ସେପଟେ ସମ୍ବଲପୁର ଜମନକିରା ବ୍ଲକ୍ ଧୁଡିପାଲି ଗାଁର ଚାଷୀମାନେ ଯୋଗ୍ୟ ହେଇଥିଲେ ବି ନା କାଳିଆ, ନା ପିଏମ୍-କିଷାନ କୌଣସି ଯୋଜନାରେ ବି ସହାୟତା ରାଶି ପାଇନାହାନ୍ତି।

କାଳିଆ ଯୋଜନାରେ ମୁଁ ୫ ହଜାର ଲେଖାଏଁ ୨ ଥର ପାଇଥିଲି। କିନ୍ତୁ ପିଏମ୍‌ କିଷାନ୍‌ରେ ସବୁ ପ୍ରମାଣପତ୍ର ଦେବା ସତ୍ତ୍ୱେ ବି ଥରେ ଟିଏ ବି ପଇସା ଆସିପାରିନାହିଁ।
-ଭାଗୀରଥ ପଢିଆଳ, ଚାଷୀ

ପିଏମ୍-କିଷାନ୍‌ର ବିଭିନ୍ନ କିସ୍ତିରେ ଏଯାଏଁ ରାଜ୍ୟର ୩୭ ଲକ୍ଷ ୧୯ ହଜାର ୧୬୮ ଚାଷୀଙ୍କୁ  ୩ ହଜାର ୨୭୪ କୋଟି ୩୩ ଲକ୍ଷ ୮୮ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛି। କିନ୍ତୁ କାଳିଆ ଯୋଜନାରେ ପ୍ରଥମ କିସ୍ତି ଓ ପରେ ଅଳ୍ପ କିଛି ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଥିବା ବେଳେ ଅନ୍ୟ କିସ୍ତି ଟଙ୍କା ଏଯାଏଁ ମିଳିନି।

ଉଦଳାରୁ ମାନସ ପାଣି, କୁଚିଣ୍ଡାରୁ ଦେବନ୍ଦ୍ର ବେହେରା ଓ ଭୁବନେଶ୍ୱରରୁ ଅରିନ୍ଦମ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ
You might also like