ସାଧାରଣ ରୋଗୀ ଚିକିତ୍ସା ପାଇଁ ଯିବେ କେଉଁଠି?

ଭୁବନେଶ୍ୱର: ସାଧାରଣ ରୋଗୀମାନେ ବିନା ଦ୍ୱିଧାରେ ସରକାରୀ ହସ୍ପିଟାଲକୁ ଯାଆନ୍ତୁ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି।

SCBରେ ବର୍ତ୍ତମାନ କେହି କୋଭିଡ୍ ଆକ୍ରାନ୍ତ ନାହାନ୍ତି। କଟକର ସିଟି ହସ୍ପିଟାଲରେ ମଧ୍ୟ କୋଭିଡ୍ ରୋଗୀ ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ କେବଳ ଜଣେ କୋଭିଡ୍ ଆକ୍ରାନ୍ତ ଅଛନ୍ତି ଏବଂ ସେ ସୁସ୍ଥ ହୋଇଗଲେଣି। ନମୁନା ପରୀକ୍ଷା ପରେ ସେ ଖୁବ୍ ଶୀଘ୍ର ହସ୍ପିଟାଲ୍‌ରୁ ବାହାରିବେ ବୋଲି କହିଛନ୍ତି। ତେଣୁ ଏହିସବୁ ହସ୍ପିଟାଲକୁ ଅନ୍ୟ ଚିକିତ୍ସା ପାଇଁ ରୋଗୀ ଆସିପାରିବେ।

ଥଣ୍ଡା, ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଦେଲେ ସଂକୋଚ ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ଫ୍ଲୁ ଲକ୍ଷଣ ଦେଖାଦେଲେ ୧୦୪କୁ ଫୋନ୍ କରିବାକୁ ପରାମର୍ଶ ଦେଇଛନ୍ତି। ହେଲ୍ପ ଲାଇନ୍ ନମ୍ବର ୧୦୪ରେ ସବୁବେଳେ ଡାକ୍ତର ଉପଲବ୍ଧ ରହୁଛନ୍ତି। ତାଙ୍କ ସହ ନିଜ ଲକ୍ଷଣ ସଂପର୍କରେ କଥା ହେବା ପରେ ଚିକିତ୍ସା ଆରମ୍ଭ ହେବ। କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ନିଶ୍ଚୟ ଘରକୁ ଫେରିବେ ବୋଲି ସେ କହିଛନ୍ତି।

ଏହାସହ ସେ କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟ ରୋଗୀଙ୍କୁ କରିବେନି ଚିକିତ୍ସା। କୋଭିଡ୍ ହସ୍ପିଟାଲ ଘୋଷିତ ହୋଇନଥିବା ଘରୋଇ ଡାକ୍ତରଖାନାରେ ହୋଇପାରିବନି ଆକ୍ରାନ୍ତଙ୍କ ଚିକିତ୍ସା। ଆଜି ପ୍ରେସମିଟ୍ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।

You might also like