ଭୁବନେଶ୍ୱରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି କେଉଁଠି?

ଭୁବନେଶ୍ୱର: ଏବେବି ବିପଦମୁକ୍ତ ରହିଛି ବସ୍ତି ଅଞ୍ଚଳ। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ ଜାଗ୍ରତ ଅଛନ୍ତି।

ସେହିପରି ମହିଷାଖାଲରେ ବହୁ ସଂକ୍ରମିତ ମିଳିବା ପରେ କଣ୍ଟେନମେଣ୍ଟ କରାଯାଇଛି। ସେଠି କ୍ୟାମ୍ପ କରି ଟେଷ୍ଟ କରିବା ପରେ ୪୧ ପଜିଟିଭ ମିଳିଲେ। ଆଜିକା ଦିନରେ ଭୁବନେଶ୍ୱରରେ ୪ଟି ବସ୍ତିରେ କଣ୍ଟେନମେଣ୍ଟ ଅଛି। ବିଏମ୍‌ସି ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ବୋଲି ସେ କହିଛନ୍ତି।

ସେହିପରି ଗୋଟିଏ ଶିଳ୍ପ କାରଖାନାକୁ ୬୮ ପଜିଟିଭ ଚିହ୍ନଟ କରାଯାଇଛି। ଗାଇଡଲାଇନ ଭଙ୍ଗ କରିଥିବାରୁ ସଂପୃକ୍ତ ଶିଳ୍ପକୁ ୭ ଦିନ ବନ୍ଦ କରାଯାଇଛି। ସେହି ନିକଟରେ ଥିବା ଆଉ ୪ଟି ଶିଳ୍ପକୁ ମଧ୍ୟ ୭ଦିନ ବନ୍ଦ କରାଯାଇଥିବା କମିଶନର କହିଛନ୍ତି।

ଆଜି ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୪୯ ରହିଛି। ଏଯାଏ ସହରରୁ ୧୮୨୮ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୯୫୨ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ  ହେଉଛନ୍ତି। ଆଜି ଆଉ ୨୯ ଜଣ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି।

You might also like