ଆଜି ବି ଅଚଳ ବିଧାନସଭା; ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯିବ ବିଜେପି !

ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ ଖୋଜିବାକୁ ଯିବୁ- ବିଜେପି

  • କ୍ଷମା ରାଜନୀତିକୁ ନେଇ ଆଜି ବି ଅଚଳ ଗୃହ
  • ପାଞ୍ଚ ଦିନ ପାଣିରେ ପଡିଲାଣି ବିଧାନସଭା କାର୍ଯ୍ୟ
  • ଆସନ୍ତାକାଲି ପୁଣି ବସିପାରେ ସର୍ବଦଳୀୟ ବୈଠକ-ବାଚସ୍ପତି
  • ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲେ ଶାସକ ନେତା
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଉଭୟ ବିଜେପି ଓ କଂଗ୍ରେସ
  • ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ ଖୋଜିବାକୁ ଯିବୁ- ବିଜେପି

ଭୁବନେଶ୍ୱର(ହରିହର ଚାନ୍ଦ): ୫ ଦିନ ବିତିଗଲା, ତଥାପି ବାହାରି ପାରିଲାନି ସମାଧାନର ବାଟ। କ୍ଷମା ରାଜନୀତିକୁ ନେଇ ଧୋଇଗଲା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଅଧିବେଶନର ଆଉ ଏକ ଦିନ। ଚାରି ଦିନ ଗୃହ ଭିତରେ ହଙ୍ଗାମା କରିବା ପରେ ଶାସକ ଦଳର ସଦସ୍ୟମାନେ ଆଜି ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି ଦାବିପତ୍ର। ଏପଟେ ଗୃହରେ ଅଚଳାବସ୍ଥାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନଥିବାରୁ ତାଙ୍କୁ ଖୋଜିବାକୁ ଯିବ ବୋଲି ବିଜେପି କହିଛି। କଂଗ୍ରେସ୍ ବି ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ସେପଟେ ଗୃହରେ ଅଚଳାବସ୍ଥା ଦୂର ପାଇଁ ଆସନ୍ତାକାଲି ପୁଣି ସର୍ବଦଳୀୟ ବୈଠକ ବସିପାରେ ବୋଲି କହିଛନ୍ତି ବାଚସ୍ପତି।

ନଛୋଡ଼ବନ୍ଧା ଶାସକ, ଜିଦରେ ଅଟଳ ବିରୋଧୀ ଦଳ। ଲଗାତାର ପଞ୍ଚମ ଦିନ ପାଇଁ ଗୃହ ଅଚଳ। ପ୍ରସଙ୍ଗ ସେହି ସମାନ, ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ବନାମ୍ ମଣ୍ଡି ଅବ୍ୟବସ୍ଥା। ଆଉ ଏହି ଅଧ୍ୟାୟରେ ଆଜି ଶାସକ ଦଳ ଯୋଡ଼ିଛି ନୂଆ ଫର୍ଦ୍ଦ। ବିଜେଡି ବିଧାୟକମାନେ ବିଧାନସଭାଠାରୁ ଏକ ରାଲିରେ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ। ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସହ ଅଭିଯୋଗ କରିଥିଲେ, ବିଧାୟକ ସୁବାସ ପାଣିଗ୍ରାଣୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି।

ତାସହ ସୁବାସ କ୍ଷମା ମାଗିବା ଦାବିରେ ଅଡି ରହିଛି ଦଳ। ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ୍ ସଦସ୍ୟମାନେ ବି ପ୍ରଶ୍ନକାଳ ଆରମ୍ଭରୁ ଧାନ କିଣା ଅବ୍ୟବସ୍ଥା ନେଇ ଗୃହ ମଧଭାଗକୁ ଆସି ଜୋରଦାର ପ୍ରତିବାଦ କରିଥିଲେ କଂଗ୍ରେସ୍ ସଭ୍ୟମାନେ। ପୋଷ୍ଟର ଓ ବ୍ୟାନର୍ ଧରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। ଆଉ ବିଧାନସଭା ବାହାରେ ଉଭୟ ବିଜେପି ଓ କଂଗ୍ରେସ୍ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ୫ ଦିନ ହେଲା ଗୃହ ଅଚଳ ରହିଥିଲେ ବି ମୁଖ୍ୟମନ୍ତ୍ରୀଙ୍କର ଦେଖାନାହିଁ।

ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ, କେଉଁଠି ଅଛନ୍ତି ତାଙ୍କୁ ଖୋଜିବାକୁ ଯିବ ବିଜେପି। ଏଥିସହିତ ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଧାନ ମଣ୍ଡି ପ୍ରସଙ୍ଗରେ ଆଲୋଚନା କରିବାକୁ ସମୟ ମାଗିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏପଟେ କ୍ଷମା ମାଗିବା ପ୍ରସଙ୍ଗରେ ବିଧାୟକ ସୁବାସ ପାଣିଗ୍ରାହୀ ଓଟିଭି ଖୋଲାକଥା କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ସବୁ ଚାଷୀଙ୍କର ଧାନ ଉଠିଯାଏ ତାହେଲେ ସେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି। ସେପଟେ କିନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ମାନିବା ପାଇଁ ନାରାଜ। ଓଲଟା ଅଭିଯୋଗ କରିଛନ୍ତି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି।

ଅଚଳାବସ୍ଥାକୁ ଦୂର କରିବା ପାଇଁ ଏହା ଭିତରେ ଏକାଧିକ ଥର ସର୍ବଦଳୀୟ ବୈଠକ ବସିଥିଲେ ବି ସମାଧାନର ରାସ୍ତା ବାହାରି ପାରିନାହିଁ। ସେପଟେ ଉଭୟ ବିଜେଡି ଓ ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିବା ପରେ ଧାନକିଣା ତାତି ଦିଲ୍ଲୀ ଦରବାରରେ ପହଞ୍ଚି ସାରିଛି। ଏବେ ଅପେକ୍ଷା କେବେ ଓ କିଭଳି ଏହି ନାଟକର ଅନ୍ତ ଘଟୁଛି।

You might also like