ସୁନ୍ଦରଗଡ଼: ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଛି। ପେଟ ପୁରାଇବା ଲାଗି ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏମିତି ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳର ବୋଲି ଜଣାପଡ଼ିଛି। କିଛି ବ୍ୟକ୍ତି ଏଠାରେ ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ।

ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସୂଚନା ଅନୁସାରରେ ତାଡୁଗୋଠ ପଡ଼ାରେ ରହୁଥିବା ରାବଣ ମୁଣ୍ଡାଙ୍କ ସ୍ତ୍ରୀ ମରିଯିବା ପରେ ତିନି ଛୁଆ ରାଜନ ମୁଣ୍ଡା, ମାଳତି ମୁଣ୍ଡା ଓ ମନୋରଞ୍ଜନ ମୁଣ୍ଡାଙ୍କୁ ନେଇ ସଂସାର। ଖାଦ୍ୟ ଅଭାବରୁ ତିନି ଛୁଆ ଅପପୁଷ୍ଟିର ଶିକାର ହୋଇଛନ୍ତି। ମାଆ ନଥିବାରୁ କାମଧନ୍ଦା ପାଇଁ ରାବଣ ୩ ଛୁଆଙ୍କୁ ଘରେ ଛାଡ଼ି ଚାଲିଯାଆନ୍ତି। ଆଉ ଭୋକ ବିକଳରେ ସାନପୁଅ ଏପରି ଅଇଁଠା ପତ୍ର ଚାଟୁଥିବା ନଜରକୁ ଆସିଛି। ଖଣିଜ ସଂପଦରେ ଭରପୁର ସୁନ୍ଦରଗଡ଼ ଜିଲ୍ଲାରେ ଗରିବୀର ଏଭଳି ବିକଳ ଚିତ୍ର ଅନେକ ପ୍ରଶ୍ନ ଛିଡ଼ା କରିଛି।

ପୂର୍ବରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଥିଲା। ଦକ୍ଷିଣ ସୁଦାନରେ ଖାଦ୍ୟ ଅଭାବରୁ କୁପୋଷଣର ଶିକାର ହୋଇଥିବା ଏକ ଛୋଟ ଶିଶୁ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିବାର ଦେଖାଯାଇଥିଲା।

କିଛି ବର୍ଷ ପୂର୍ବେ ଏଭଳି ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ବି ସମୟ ସମୟରେ ମରୁଡ଼ି ସ୍ଥିତି ଦେଖା ଦେଲେ ଏମିତି କିଛି ଫଟୋ ସୋସିଆଲ୍‌‌ ମିଡିଆରେ ଭାଇରାଲ୍ ହୁଏ। ଏପରି ବିରଳ ଫଟୋକୁ ଏବେ ବି କୋଟି କୋଟି ଲୋକ ସେୟାର ଓ ଟ୍ୟାଗ୍ କରୁଛନ୍ତି।

ଏହି ଫଟୋ ପାଇଁ ଫଟୋଗ୍ରାଫରଙ୍କୁ ଦିନେ ବହୁତ ଅନୁତାପ କରିବାକୁ ପଡ଼ିଥିଲା। ଆଉ ଫଟୋ ଉଠାଇବା ୩ ମାସ ପରେ ଅନୁତାପର ଅନଳରେ ଛଟ୍‌ପଟ୍‌ ହୋଇ ଫଟୋଗ୍ରାଫର ଜଣକ ଆତ୍ମହତ୍ୟା କରିଥିଲେ ବୋଲି ସୂଚନା ମିଳିଥିଲା।

ତେବେ କିଏ ଏହି ଫଟୋଗ୍ରାଫର ? କାହିଁକି ତାଙ୍କର ଏହି ଫଟୋଟି ଏତେ ଚର୍ଚ୍ଚିତ ହୋଇଥିଲା? କଣ ରହିଛି ଏହି ଫଟୋ ପଛରେ କରୁଣ କାହାଣୀ ? ଏସବୁ ବିଷୟରେ ଆପଣ ଉଣା ଅଧିକ ଜାଣିଥିବେ ନିଶ୍ଚୟ। କିନ୍ତୁ ସମୟ ଗଡ଼ିବା ସହିତ କଥାଟି ମଧ୍ୟ ସମୟ ସହିତ ବହୁତ ପଛକୁ ପଳେଇଗଲାଣି। ଫଟୋ ପଛରେ ଥିବା ସେହି କରୁଣ କାହାଣୀକୁ ଆଜି ଆଉ ଥରେ ଆପଣଙ୍କ ସାମ୍ନାରେ ଥୋଇବାକୁ ଚାହୁଁଛୁ।

ଏହି ଫଟୋଟି ୧୯୯୩ ମସିହାରେ ପ୍ରଖ୍ୟାତ ଫଟୋଗ୍ରଫର କେଭିନ୍‌ କାର୍ଟର ଉଠାଇଥିଲେ। ଅନାହାର ସହ ଯୁଝୁଥିବା ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନରେ ପ୍ରଖ୍ୟାତ ଫଟୋଗ୍ରଫର କେଭିନ୍‌ ଏହି ଫଟୋଟିକୁ ଉଠାଇଥିଲେ ବୋଲି ସୂଚନା ରହିଛି।

Other Stories