କେଉଁଠୁ ଆସିଲା କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍?

ଭୁବନେଶ୍ୱର:  କରୋନାର ଦ୍ୱିତୀୟ ଲହର, ଭୂତାଣୁର ଡବଲ୍ ମ୍ୟୁଟେସନ୍, ୩ ଲକ୍ଷ ପାର୍ ଦୈନିକ ସଂକ୍ରମଣ, ତା ସାଙ୍ଗକୁ ୨୪ ଘଣ୍ଟାରେ ୨ହଜାରରୁ ଅଧିକ ମୃତ୍ୟୁ ଏତିକି ଯଥେଷ୍ଟ ନଥିଲା ଯେ, ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା। କିଛି ସଂକ୍ରମିତଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍। ୪ଟି ରାଜ୍ୟ- ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ। ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ୍‌ଷ୍ପଟ୍ ବୋଲି ଅନୁମାନ କରାଯାଉଛି। ତେଣୁ ଟ୍ରିପଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌କୁ ବେଙ୍ଗଲ୍ ଷ୍ଟ୍ରେନ୍ ବୋଲି ମଧ୍ୟ କହୁଛନ୍ତି କିଛି ବିଶେଷଜ୍ଞ।

ପୂର୍ବରୁ ଭାରତ ସମେତ ୧୦ଟି ଦେଶରେ ଠାବ ହୋଇଥିବା ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌ରେ କରୋନାର ୨ଟି ରୂପାନ୍ତରର ଗୁଣ ପ୍ରକାଶ ପାଉଥିବା ବେଳେ, ସେଥିରେ ଆଉ ଏକ ମ୍ୟୁଟେସନ୍ ହୋଇ ଏହି ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍‌ରେ ମୋଟ ୩ଟି ଷ୍ଟ୍ରେନ୍‌ ଗୁଣ ପ୍ରକାଶ ପାଉଛି। ତେବେ ଚିନ୍ତାଜନକ ବିଷୟ ହେଉଛି, ଏହି ଷ୍ଟ୍ରେନ୍ ପୂର୍ବାପେକ୍ଷା ଆହୁରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରିବ, ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଚକ୍‌ମା ଦେଇ ଆକ୍ରାନ୍ତ କରିପାରିବ, ସଂକ୍ରମିତଙ୍କୁ ଶୀଘ୍ର ରୋଗଗ୍ରସ୍ତ କରିପାରିବ, ପୂର୍ବରୁ ଅନ୍ୟ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇସାରିଥିବା ରୋଗୀଙ୍କୁ ଏବଂ ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ ପୁଣି ଆକ୍ରାନ୍ତ କରିପାରିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରୁଛନ୍ତି।

ଯଦିଓ ଏହି ଭାରିଆଣ୍ଟ୍ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି, ତଥାପି ଏନେଇ ନୂଆଦିଲ୍ଲୀର CSIR-IGIB ବୈଜ୍ଞାନିକ ବିନୋଦ ସ୍କାରିଆ ଟୁଇଟ୍ କରିବା ପରେ ଦ୍ୱିତୀୟ ଲହର ଆଗକୁ ଆଉ କେଉଁ ମୋଡ଼ ନେବ, ସେନେଇ ଚିନ୍ତା ବଢ଼ିଛି।

ଦେଶରେ ଗତ ସପ୍ତାହେ ହେଲାଣି ପ୍ରତିଦିନ ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ, ଆଜି ଏକ ଅଲୋଡ଼ା ବିଶ୍ୱ ରେକର୍ଡ କରିଛି ଭାରତ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୮୩୫ କୋଭିଡ୍ ପଜିଟିଭି ସାରା ବିଶ୍ୱରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ ହୋଇଛି। ଏଭିତରେ ସାମ୍ନାକୁ ଆସିଛି। ମେଡିକାଲ୍ ଅକ୍ସିଜେନ୍‌କୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ରୋଗୀ ଶ୍ୱାସକଷ୍ଟ ଭୋଗୁଥିବାରୁ, ସେହି ଅନୁପାତରେ ଅଧିକ ମେଡିକାଲ୍ ଅକ୍ସିଜେନ୍ ମଧ୍ୟ ଜରୁରୀ ହୋଇପଡ଼ିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅଧାରୁ ଅଧିକ ରୋଗୀଙ୍କୁ ଲୋଡ଼ା ପଡ଼ୁଛି ଅକ୍ସିଜେନ୍।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ, ଫାଷ୍ଟ୍ ୱେଭ୍ ପିକ୍ ପିରିୟଡ୍ ଅର୍ଥାତ ଗତବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧.୧ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ୍ ଦରକାର ପଡ଼ୁଥିଲା ହେଲେ ଏବେ ସେକେଣ୍ଡ୍ ୱେଭ୍‌ରେ ଏହି ହାର ୫୪.୫ ପ୍ରତିଶତକୁ ବଢ଼ିଛି। ଅର୍ଥାତ୍ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟରେ ୧୩.୪ ପ୍ରତିଶତ ଅଧିକ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଦେବାକୁ ପଡ଼ୁଛି। ଫାଷ୍ଟ୍ ୱେଭ୍‌ରେ ୪୧.୭ ପ୍ରତିଶତ ରୋଗୀ ଶ୍ୱାସ କଷ୍ଟ ଭୋଗୁଥିବା ବେଳେ, ଏବେ ୪୭.୫ ପ୍ରତିଶତ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଉଛି।

You might also like