ସରିବ ତ ରାସ୍ତା କାମ ? ଅଧପନ୍ତରିଆ ଭାବେ ପଡିରହିଛି କଳିଙ୍ଗନଗରର ଲାଇଫଲାଇନ୍

ଯାଜପୁର(ଅଭୟ ପତି) : ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ । ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ । କିନ୍ତୁ ଦୀର୍ଘ ବର୍ଷ ହେଲା ନା ରାସ୍ତା କାମ ସରିପାରୁଛି ନା ଲୋକଙ୍କୁ ମିଳୁଛି ଯାତାୟାତର ସୁବିଧା । ପ୍ରଶାସନିକ ଅବହେଳାରୁ କାମ ଧିମେଇ ଯାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରୁଥିବାବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଖୁବ୍ ଶୀଘ୍ର ସରିବ ରାସ୍ତା ନିର୍ମାଣ ।

କେବେ ସରିବ ରାସ୍ତାକାମ? କେବେ ମିଳିବ ସୁବିଧା? ଗଲା ୯ ବର୍ଷ ହେଲା ରାସ୍ତା କାମ ଚାଲିଛି ଯେ, ସରିବାର ନାଁ ଧରୁନି । ଅଧପନ୍ତରିଆ ଭାବେ ପଡିରହିଛି ଯାଜପୁର ଜିଲ୍ଲା କଳିଙ୍ଗନଗରର ଲାଇଫଲାଇନ୍ କୁହାଯାଉଥିବା ମିଲିଟାରୀ ବାଇପାସ୍ ରୋଡ୍ ନିର୍ମାଣ କାମ । ୨୦୧୨ ମସିହାରେ ତତ୍କାଳୀନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ଏଠାରେ ଶୁଭ ଦେଇଥିଲେ । ୪ ଥାକିଆ ବିଶିଷ୍ଟ ୬ କିଲୋମିଟର ଲମ୍ବ ଏହି ବାଇପାସ୍ ରାସ୍ତା ତିଆରି ହେଲେ ଆଉ ସହର ଭିତର ଦେଇ ଭାରିଯାନ ଚଳାଚଳ ହେବନାହିଁ ବୋଲି ଆଶା ରଖିଥିଲେ ଲୋକେ । ଏପରିକି ନିର୍ମାଣକାମ ବି ୩ ବର୍ଷ ଭିତରେ ସାରିବାକୁ ପ୍ରତିଶ୍ରୁତି ବି ଦିଆଯାଇଥିଲା।  ମାତ୍ର ଆଜିଯାଏ ସରିପାରୁନି କାମ । ଯେଉଁଥିପାଇଁ ବଢିବାରେ ଲାଗିଛି ଜନଅସନ୍ତୋଷ ।

ସେପଟେ ଯାଜପୁର ସହର ଦେଇ ଦୈନିକ ହଜାର ହଜାର ହାଇଓ୍ବା,ଟ୍ରକ୍, ବସ୍ ଆଦି ଭାରିଯାନ ଯିବାଆସିବା କରୁଛି ।  ଯାହାଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହ ଛୋଟବଡ଼ ଦୁର୍ଘଟଣାର ସଂଖ୍ୟା ବି ବଢୁଛି । ମିଲିଟାରୀ ବାଇପାସ୍ ରୋଡ ନିର୍ମାଣ କାମ ଶୀଘ୍ର ସାରିବାକୁ ବାରମ୍ବାର ଦାବି ଉଠୁଥିଲେ ବି ପ୍ରଶାସନିକ ଅବହେଳାରୁ ଏହା ଆଗଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଖୁବ ଶୀଘ୍ର ନିର୍ମାଣ କାମ ସରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପରିସ୍ଥିତି ଅଣାୟାତ୍ତ ହେବା ପୂର୍ବରୁ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

You might also like