ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଅନ୍ୟ ମନ୍ଦିର କେବେ ଖୋଲିବ ପ୍ରଶାସନ

ଆଶ୍ୱସ୍ତି ଆଣିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : ଶ୍ରୀମନ୍ଦିର ପରେ ଭକ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଲା ଲିଙ୍ଗରାଜ ମନ୍ଦିର। ଆସନ୍ତା ୨୭ ତାରିଖରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ତେବେ କରୋନା ସ୍ଥିତିରେ ଉନ୍ନତି ଓ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ପରେ ରାଜ୍ୟର ହଜାର ହଜାର ମନ୍ଦିର ଏବେ ବି ବନ୍ଦ ପଡ଼ିଥିବାରୁ ସେସବୁ ଦେବଦେବୀ ପୀଠ କେବେ ଖୋଲିବ ତାକୁ ନେଇ ଦ୍ୱନ୍ଦ୍ୱରେ ଉଭୟ ଭକ୍ତ, ସେବାୟତ।

କୋରନା କବଳିତ ଭକ୍ତ ସମାଜ ଲାଗି ବଡ଼ ବିଜୟ। ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। ଆଜି ହୋଇଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୭ରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନର ସୌଭାଗ୍ୟ ପାଇବେ ସେବାୟତ ପରିବାର ସଦସ୍ୟ। ପରେ ଜାନୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ପାଇବେ। ୬ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଉନ୍ମକ୍ତ ହେବ ମନ୍ଦିର ପରିସର। ତେବେ କୋଭିଡ୍ କଟକଣା ସ୍ୱରୂପ ଲିଙ୍ଗରାଜ ମନ୍ଦିର ପ୍ରବେଶ ପାଇଁ ଚାହୁଁଥିବା ଭକ୍ତଙ୍କୁ ପାଖରେ ରଖିବାକୁ ପଡ଼ିବ ୪-୫ ଦିନ ତଳର କୋଭିଡ୍ ନେଗେଟିଭ୍ ରିପୋର୍ଟ।

ସେହିଭଳି ଲିଙ୍ଗରାଜ ମନ୍ଦିରରେ ଏକକାଳୀନ ସର୍ବାଧିକ ୫ ଶହ ଭକ୍ତ ଉପସ୍ଥିତ ରହିବା ନେଇ ବି ଜାରି ହୋଇଛି ଏସଓପି। ତାସହ ବିଏମସି ଅଧିନରେ ଆସୁଥିବା ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବି ଅନୁମତି ଦେଇଛି ପ୍ରଶାସନ। ପ୍ରଥମେ ଶ୍ରୀମନ୍ଦିର ଓ ପରେ ଲିଙ୍ଗରାଜ ଖୋଲିବା ନିଷ୍ପତ୍ତି ପରେ ଏବେ ପ୍ରଶାସନର ସିଗ୍ନାଲ ଅପେକ୍ଷାରେ ରାଜ୍ୟର ଅନ୍ୟ ପ୍ରସିଦ୍ଧ ଓ ପ୍ରମୁଖ ମନ୍ଦିର। ବିଶେଷକରି ଦେବୋତ୍ତର କମିଶନ ଅଧୀନରେ ଥିବା ରାଜ୍ୟର ୧୮ ହଜାର ମନ୍ଦିରରେ ଏବେ ବି ତାଲା ଝୁଲୁଥିବାରୁ ଖାଁ ଖାଁ ପ୍ରାୟ ସମସ୍ତ ମନ୍ଦିର ପରିସର।

ତେବେ ପ୍ରଶ୍ନ ଉଠୁଛି, କୋଭିଡ୍ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ ମନ୍ଦିର ଖୋଲିବାକୁ ବହୁ ପୂର୍ବରୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ କାହିଁକି ଖୋଲିପାରୁନି ଗୋଟିଏ ହେଲେ ଦେବଦେବୀଙ୍କ ପୀଠ? ସରକାରଙ୍କ ନିର୍ଦ୍ଦେଶକୁ କେତେ ପରିମାଣର ଅନୁପାଳନ କରିଛନ୍ତି କେଉଁ ଜିଲ୍ଲାପାଳ? ଏପରି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଥିବାବେଳେ ନିକଟରେ ସବୁ ମନ୍ଦିର ଖୋଲିବା ଲାଗି ମୋଡାଲିଟି ଧାର୍ଯ୍ୟ  କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନ ।

ଏସବୁ ସତ୍ତ୍ୱେ ରାଜ୍ୟ ସରକାର ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରୁନଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ସେବାୟତ ଓ ଭକ୍ତ ସମାଜ। କରୋନା ପାଇଁ ଆଜକୁ ଦୀର୍ଘ ୯ ମାସ ଧରି ବନ୍ଦ ରହିଛି ରାଜ୍ୟର ସମସ୍ତ ଧାର୍ମିକ ପୀଠ। ଏବେ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଅନ୍ୟ ମନ୍ଦିର ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି।

You might also like