‘କେବେ ଖୋଲିବ ମନ୍ଦିର, ସ୍ପଷ୍ଟ କର’
ଭୁବନେଶ୍ୱର: ଦୀର୍ଘ ୫ ମାସରୁ ଅଧିକ ସମୟ ହେଲାଣି ଭଗବାନଙ୍କ ସାନିଧ୍ୟରୁ ବଞ୍ଚିତ ଭକ୍ତ। କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ। ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ। ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା ବି ତାଠୁ ଅଧିକ ଉତ୍କଟ।
ସେପଟେ ମନ୍ଦିର ଖୋଲିବା ନେଇ ଗତ ଜୁନ୍ ୪ରୁ କେନ୍ଦ୍ର ସରକାର ଏସଓପି ଜାରି କରିଥିଲେ ବି ରାଜ୍ୟରେ କିନ୍ତୁ ଆଜି ଯାଏଁ ଧାର୍ମିକ ଅନୁଷ୍ଠାନ ଖୋଲିନି। ଏମିତିକି ଗତ ୧୦ ତାରିଖରେ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ ଉଚ୍ଚ ନ୍ୟାୟାଳୟ।
ସେପଟେ କେବେ ଖୋଲିବ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ? ସେ କଥା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର। ଏ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ପୁଣି ଏକ ମିସ୍କେସ୍ ଦାଏର କରିଛନ୍ତି ପୂର୍ବ ଆବେଦନକାରୀ ଜୟନ୍ତ ବଳ। ଗତ ୧୦ ତାରିଖରେ ହାଇକୋର୍ଟଙ୍କ ରାୟର ୨ ସପ୍ତାହ ପରେ ବି ରାଜ୍ୟ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇନଥିବାରୁ ପୁଣି ହୋଇଛି ଆବେଦନ।
ଏବେ ଅପେକ୍ଷା କୋଭିଡ୍ ଗାଇଡଲାଇନ୍ ନିୟମ ଭିତରେ କେବେ ମନ୍ଦିର ଖୋଲିବାକୁ ଅନୁମତି ଦେଉଛନ୍ତି ରାଜ୍ୟ ସରକାର?