କେବେ ଥମିବ ହାତୀ-ମଣିଷ ଲଢ଼େଇ?

ଭୁବନେଶ୍ୱର: ସାରା ରାଜ୍ୟରେ ହାତୀ ଆତଙ୍କ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ହାତୀ କେବଳ ଫସଲ ଖାଉ ନାହାନ୍ତି, ଉପଦ୍ରବ କରୁଥିବାରୁ ଶହ ଶହ ଏକର ଜମିର ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି।

ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଏପଟେ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ। ସୁଯୋଗ ଦେଖି କିଛ ଅସାମାଜିକ ବ୍ୟକ୍ତି ଓ ଶିକାରୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି।

ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡବଳଭଦ୍ରପୁର ପଞ୍ଚାୟତର ଗାଁରେ ଏକର ଏକର ଜମିରେ ଧାନ ଫସଲକୁ ହାତୀପଲ ନଷ୍ଟ କରି ଦେଇଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଡୁଙ୍ଗୁରିପାଲି ହେଉ କି ସୁନ୍ଦରଗଡ଼ର ବଣେଇ ଓ ପାନପୋଷ ଡିଭିଜନ୍, ଚାଷୀଙ୍କ ମୁଣ୍ଡ ବିନ୍ଧା ବଢ଼ାଇଛନ୍ତି ହାତୀ। ହାତୀ କେବଳ ଧାନ ଫସଲ ନଷ୍ଟ କରୁଛନ୍ତି ତା’ନୁହେଁ, ଅନେକ ସମୟରେ ଘରର ପାଚେରି ଭାଙ୍ଗିବା ସହ ଓ ପନିପରିବା ମଧ୍ୟ ନଷ୍ଟ କରୁଛନ୍ତି।

ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ବଢ଼ୁଛି। ଯାହାର ପ୍ରତିଫଳନ ବି ଦେଖିବାକୁ ମିଳୁଛି।

ଅନ୍ୟପଟେ ହାତୀ ପଲ ଗାଁ ମୁହାଁ ହେଉଥିବାରୁ ଶିକାରୀ ଓ ଅସାମାଜିକ ବ୍ୟକ୍ତି ଏହାର ଫାଇଦା ଉଠାଉଛନ୍ତି।  କିଛିଦିନ ତଳେ ଆଠଗଡ଼ ବନଖଣ୍ଡରେ ବିସ୍ଫୋରକ ଖାଇ ହାତୀର ମୃତ୍ୟୁ ହେବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିମଖଣ୍ଡିପେଣ୍ଠ ଧାନ ବିଲରୁ ଦନ୍ତା ହାତୀର ମୃତଦେହ ମିଳିବା ଘଟଣା ହାତୀଙ୍କ ପ୍ରତି ବଢୁଥିବା ବିପଦ ଦର୍ଶାଉଛି।

ପରିସଂଖ୍ୟାନ କହୁଛି ୨୦୧୧-୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଭିନ୍ନ ଭିନ୍ନ କାରଣରୁ ୬ ଶହ ହାତୀଙ୍କ ଜୀବନ ଗଲାଣି। ଅନ୍ୟପକ୍ଷରେ ଏହି ସମୟରେ ମଧ୍ୟ ହାତୀ ଆକ୍ରମଣରେ ୫୭୦ ଲୋକଙ୍କ ମୃତ୍ୟୁ ଘଟିଛି। ହାତୀ ମଣିଷ ମଧ୍ୟରେ ଚାଲିଥିବା ଏହି ଲଢ଼େଇ ବନ ବିଭାଗର ଚିନ୍ତା ବଢ଼ାଇଛି।

ତେବେ କେବଳ ସଚେତନତା ସୃଷ୍ଟି କରାଯିବା ଦ୍ୱାରା ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

 

You might also like