ଶ୍ମଶାନ କହୁଛି ମୃତ୍ୟୁର ସତ: ଯେତେ ଲୁଚାଇଲେ ବି ଲୁଚୁନାହିଁ….

କରୋନା ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି କି ସରକାର?

ଭୁବନେଶ୍ୱର: ରାଜ୍ୟରେ ଲଗାତାର ସପ୍ତାହେ ହେଲାଣି ୨୦ ପାଖାପାଖି ରହୁଛି କରୋନା ଜନିତ ଦୈନିକ ମୃତ୍ୟୁସଂଖ୍ୟା। କେବେ ୧୯କୁ ଖସୁଛି, ତ କେବେ ୨୨କୁ ବଢ଼ୁଛି। ହେଲେ ବାସ୍ତବ ସଂଖ୍ୟା ଏହାଠୁ ଢେର୍ ଅଧିକ ବୋଲି ସାଧାରଣରେ ସନ୍ଦେହ ଉପୁଜୁଛି। ଏହି ସନ୍ଦେହ ନିରାଧାର ବି ନୁହେଁ। ମୃତକଙ୍କ ସଂପର୍କୀୟ, ମଶାଣି ବନ୍ଧୁ, ଶ୍ମଶାନ ପାଖ ବାସିନ୍ଦାଙ୍କ ପ୍ରତିକ୍ରିୟା, ଏମିତି କି ଜଣେ ଉପଜିଲ୍ଲାପାଳଙ୍କ ସୂଚନା ବି କିଛି ସେହି ଦିଗକୁ ସୂଚାଉଛି।

ଏକା ସାଙ୍ଗରେ ଏକାଧିକ ଜୁଇ ଜଳୁଥିବା ଅନେକ ସ୍ଥାନରେ ଦେଖିବାକୁ  ମିଳିଛି। ମଶାଣି କହୁଛି ମହାମାରୀର ସତ। ନା ଶ୍ମଶାନରେ ଜୁଇ ଲିଭୁଛି, ନା ପ୍ରିୟଜନଙ୍କ ଆଖିରୁ ଲୁହ ଶୁଖୁଛି। ହେଲେ ଶ୍ମଶାନର ଛାତି, ଆଉ ସରକାରୀ ନଥି ଭିତରେ ଆକାଶ ପାତାଳ ଫରକ ରହୁଥିବା କଥା ସାମ୍ନାକୁ ଆସିଛି। କୋଭିଡ୍ ମୃତ୍ୟୁସଂଖ୍ୟାକୁ ନେଇ କିଏ କହୁଛି ସତ? ସୁନ୍ଦରଗଡ଼ ସହର ରାଣିବଗିଚା ବାଇପାସ୍ ନିକଟ  ଶ୍ମଶାନରେ କୋଭିଡ୍ ମୃତକଙ୍କ ଶବକୁ ପୋଡ଼ୁଥିବା ମଶାଣି ବନ୍ଧୁ କହଛନ୍ତି ସୁନ୍ଦରଗଡ଼ର ସତ।

ତେବେ ସରକାରୀ ତଥ୍ୟ ଅନୁସାରେ, ପୂରା ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯଦି ଏକଥା ସତ, ତେବେ କେବଳ ସୁନ୍ଦରଗଡ଼ ସହର ଶ୍ମଶାନକୁ ନିଇତି ୧୦-୧୨ଟି ଶବ ଆସୁଛି କୁଆଡ଼ୁ? ଯଦି ମଶାଣି ବନ୍ଧୁଙ୍କ କଥା ବିଶ୍ୱାସ ହେଉନି, ତେବେ ଖୋଦ୍ ସୁନ୍ଦରଗଡ଼ ଉପଜିଲ୍ଲାପାଳ କଥା ଯିଏ ଶୁଣିବ ସିଏ ବିଶ୍ୱାସ କରିବାକୁ ବାଧ୍ୟ ହେବ।

ଖାଲି ସୁନ୍ଦରଗଡ଼ କାହିଁକି, ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନ ଓ କଟକର ସତୀଚୌରା ଶ୍ମଶାନରେ ସମାନ ଅବସ୍ଥା। ଏଠିବି ସମାନ ଦୃଶ୍ୟ, ଏକାଥରେ ଜଳୁଛି ୪-୫ଟି ଜୁଇ। ଆହୁରି ଏକାଧିକ ଶବ ଶେଷକୃତ୍ୟ ଅପେକ୍ଷାରେ ରହୁଛି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନ ପାଖ ବସ୍ତି ବାସିନ୍ଦା କହିଛନ୍ତି ସକାଳୁ ରାତି ୧୦ଟା-୧୧ଟା ଯାଏଁ ଶବ ପୋଡ଼ା ଚାଲିଛି। ସଂଖ୍ୟା ପଚାରିଲେ, କଣ ସୋମାନେ ଯାହା କହୁଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏନେଇ ବିଏମ୍ସି ବା ଶ୍ମଶାନ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, କଟକ ସତୀଚୌରା ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ସହ କୋଭିଡ୍ ସନ୍ଦିଗ୍ଧଙ୍କର ମଧ୍ୟ ଅନ୍ତିମ ସଂସ୍କାର ହେଉଥିବା ସିଏମ୍ସି କମିଶନର କହିଛନ୍ତି।

ଗତ ଶନିବାର କୋଭିଡ୍ ସମୀକ୍ଷା ବୈଠକରେ ରାଜ୍ୟମାନଙ୍କୁ କୌଣସି ଚାପରେ ନଆସି ସଂକ୍ରମିତଙ୍କ ସଂଖ୍ୟା ସ୍ୱଚ୍ଛତାର ସହ ପ୍ରକାଶ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେପଟେ ଇଂରାଜୀ ଦୈନିକ ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ ପ୍ରତିକ୍ରିୟା ଦେଇ ଦେଶର ବିଶିଷ୍ଟ ଭୂତାଣୁବିତ୍ ଡାକ୍ତର ଟି ଜାକବ୍ ଜନ୍ କହିଛନ୍ତି, ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବକୁ ଦେଖିଲେ, ମୃତ୍ୟୁସଂଖ୍ୟା ଅବାସ୍ତବ ଲାଗୁଛି। ଗାଁରେ ବହୁ ଲୋକ ଟେଷ୍ଟ୍ କରାଉନଥିଲେ ବି, କୋଭିଡ୍ ଲକ୍ଷଣ ସହ ମରୁଛନ୍ତି। ସେ ଗୁଡ଼ିକୁ ଗଣାଯାଉନାହିଁ, ସରକାର କୋଭିଡ୍ ମୃତକଙ୍କୁ ନେଇ ଗମ୍ଭୀର ନୁହଁନ୍ତି। ଏଭଳି ମହାମାରୀ ସମୟରେ ପ୍ରତ୍ୟେକ ମୃତ୍ୟୁ ହିସାବକୁ ନିଆଯିବା ଉଚିତ। ନଚେତ୍ ପରିଣାମ ଭୟାବହ ହୋଇପାରେ ବୋଲି ସେ କହିଛନ୍ତି। ଏପଟେ, ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ସମାନ କଥା କହୁଛନ୍ତି ।ସେପଟେ ଦୈନିକ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜନୈତିକ ବିବାଦ ବି ଜୋର୍ ଧରିଲାଣି।

ଦ୍ୱିତୀୟ ଲହରରେ କୋଭିଡରୁ ସୁସ୍ଥ ହେବା ପରେ ବି, ସେହି ସଂପର୍କିତ ଅନ୍ୟ ଜଟିଳତା ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ ସରକାର, ପୋଷ୍ଟ୍-କୋଭିଡ୍ ଡେଥ୍ ଉପରେ ତଥ୍ୟ ସାର୍ବଜନୀନ କରିବା ଜରୁରୀ ନୁହେଁ କି? ଯାହା ଭୟ ସୃଷ୍ଟି ନୁହେଁ , ବରଂ ସଚେତନତା ଆଣିବା ସହ କୋଭିଡ୍ ଲଢ଼େଇକୁ ସଠିକ୍ ଦିଗରେ ନେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

You might also like