ରକେଟ୍ ବେଗରେ କରୋନା ସଂକ୍ରମଣ ପଛର କାରଣ କଣ?

ଭୁବନେଶ୍ୱର: ରାଜ୍ୟରେ କରୋନାର ପୁଣି କରାଳ ରୂପ। ଏପ୍ରିଲ୍ ପହିଲାରେ ଚିହ୍ନଟ ହୋଇଥିଲେ ୩୯୪ ପଜିଟିଭ୍। ଆଉ ଆଜି ବାହାରିଛନ୍ତି ୪ ହଜାର ୭୬୧ ମାତ୍ର ୨୦ ଦିନରେ ଦୈନିକ ସଂକ୍ରମଣ ପ୍ରାୟ ୧୨ ଗୁଣା ବଢ଼ିଛି। ରେଡ୍‌ଜୋନ୍‌ର ରାଜ୍ୟର ୧୦ ଜିଲ୍ଲା ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ। ଖାଲି ସେତିକି ନୁୁହେଁ, କେବଳ ଏପ୍ରିଲ୍‌ରେ କରୋନା ନେଲାଣି ୩୨ ଜୀବନ। ତେବେ ରକେଟ୍ ବେଗରେ କରୋନାର ଏହି ସଂକ୍ରମଣ ପଛର କାରଣ କଣ?

କାହିଁକି ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଛି? ପ୍ରମୁଖ କାରଣ ଭିତରେ ରହିଛି, ପଡ଼ୋଶୀ ଛତିଶଗଡ଼ରେ କରୋନା ସ୍ଥିତି ବେକାବୁ ହେବାପରେ ତାର ପ୍ରଭାବରେ ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି। ତାଛଡ଼ା ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ, ଦିଲ୍ଲୀ ଭଳି ସଂକ୍ରମଣ ବହୁଳ ରାଜ୍ୟରୁ ଓଡ଼ିଶାକୁ ଅନେକ ପ୍ରବାସୀ ଫେରୁଛନ୍ତି।

ସେହିଭଳି ହରିଦ୍ୱାର କୁମ୍ଭମେଳାରୁ ଫେରିଥିବା ବହୁ ଶ୍ରଦ୍ଧାଳୁଙ୍କ କୋଭିଡ୍ ଟେଷ୍ଟ ପରେ ପଜିଟିଭଙ୍କ ସଂଖ୍ୟା ବଢୁଛି। ଏସବୁ କାରଣ ବ୍ୟତୀତ, ହାଟ ବଜାରରେ ଭିଡ଼, ସାମାଜିକ ଦୂରତା ନରଖିବା, ମାସ୍କ ନପିନ୍ଧିବା, ଖାସ୍ କରି ଟୀକା ବାହାରିବାପରେ ଲୋକେ ବେପରୁଆ ହେବା ଯୋଗୁଁ କରୋନା ଦ୍ରୁତଗତିରେ ମାଡ଼ିବାରେ ଲାଗିଛି।

ସେପଟେ ବିଶେଷଜ୍ଞଙ୍କ କହିବା କଥା, ଦ୍ୱିତୀୟ ଲହରରେ ଦେଖାଯାଉଥିବା ଷ୍ଟ୍ରେନ୍‌ର ସଂକ୍ରମଣ ବେଗ ଅଧିକ। ତେଣୁ ପୂର୍ବାପେକ୍ଷା ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ପଞ୍ଜାବ ଓ ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନ୍ ଯୋଗୁଁ କରୋନା ବ୍ୟାପୁଛି। ଓଡ଼ିଶାର ତାର ବିଶେଷ ପ୍ରଭାବ ନାହିଁ। ଏଠି ୟୁକେ ଏବଂ ଡବଲ ମ୍ୟୁଟେସନ୍ ମାତ୍ର ୩ରୁ ୪ ପ୍ରତିଶତ କେଉଁ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମଣ ବ୍ୟାପୁଛି, ଜିନୋମ ସିକ୍ୟୁଏନ୍ସି ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟରେ ଏବେ ଦିନକୁ ପ୍ରାୟ ୩୨ ହଜାର କୋଭିଡ୍ ଟେଷ୍ଟ କରାଯାଉଛି। ଏହାକୁ ବଢ଼ାଇ ଦୈନିକ ପ୍ରାୟ ୫୦ ହଜାର ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରୁଛି। ସେପଟେ ପଞ୍ଚାୟତ ଓ ଗାଁଗୁଡ଼ିକୁ ବାହାର ରାଜ୍ୟରୁ କେହି ଆସିଲେ ଅଙ୍ଗନଓ୍ୱାଡି, ଆଶାକର୍ମୀ ଓ ସରପଞ୍ଚମାନେ ଅନୁଧ୍ୟାନ କରିବେ। ଆବଶ୍ୟକ ହେଲେ ସେମାନଙ୍କୁ ଟେମ୍ପରାରୀ ମେଡିକାଲ ସେଣ୍ଟର ଓ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ କୁହଯାଇଛି। ସେପଟେ ଆଜିଠାରୁ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ ହୋଇଛି। ଅଙ୍ଗନବାଡ଼ି କର୍ମୀମାନେ ଥର୍ମାଲ ସ୍କ୍ରିନିଂ କରିବା ସହ ପ୍ରବାସୀଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି।

ସେପଟେ ସରକାରୀ ଓ ଘରୋଇ ହସ୍ପିଟାଲ୍ଗୁଡ଼ିକ ଯେମିତି ହଟ୍‌ସ୍ପଟ ନପାଲଟିବ ସେଥିପାଇଁ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ହସ୍ପିଟାଲ୍‌ଗୁଡ଼ିକରେ ପୃଥକ ଫିଭର କ୍ଳିନିକ୍ ଓ ଆଇସୋଲେସନ୍ ଜୋନ୍ କରିବାକୁ କୁହଯାଇଛି।

ରିପୋର୍ଟ: ହରିହର ଚାନ୍ଦ
You might also like