କେତେ ରହିବ କରୋନା ଟିକାର ଦାମ୍, ଦ୍ୱନ୍ଦ୍ୱରେ ସମସ୍ତେ

ଟିକାକୁ ନେଇ ବଢୁଛି ଦ୍ୱନ୍ଦ୍ୱ

  • ମେ୧ରୁ ଘରୋଇ ହସ୍ପିଟାଲକୁ ମିଳିବନି ଅଢ଼େଇ ଶହ ଟଙ୍କିଆ ଟିକା
  • ସିଧା ଫାର୍ମା କମ୍ପାନୀଠୁ କିଣିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି ପରେ ଶଙ୍କା
  • କେତେ ରହିବ କରୋନା ଟିକା ଦାମ୍, ଦ୍ୱନ୍ଦ୍ୱରେ ସମସ୍ତେ
  • ଘରୋଇ ମେଡ଼ିକାଲ୍ ଓ ଜନସାଧାରଣ ଟିକା ଦାମକୁ ନେଇ ଦ୍ୱନ୍ଦ୍ୱରେ
  • ଓଡ଼ିଶାରେ ବି ମାଗଣାରେ କରୋନା ଟିକା ଦେବାକୁ ଅପରାଜିତାଙ୍କ ଦାବି

ଭୁବନେଶ୍ୱର( ସୌମ୍ୟରଂଜନ ସାହୁ): କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି ଆଣିଥିବା କରୋନା ଟିକାକୁ ନେଇ ରାଜ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ମେ୧ରୁ ରାଜ୍ୟ ସରକାର ଆଉ ଘରୋଇ ହସ୍ପିଟାଲକୁ ଯୋଗାଇବେନି କରୋନା ଟିକା। ଟିକା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ସିଧାସଳଖ ଟିକା କିଣିବେ। ଏଥିପାଇଁ ସବୁ ଜିଲ୍ଲାପାଳ ଓ ୫ଟି ମହାନଗରର କମିଶନରଙ୍କୁ ଚିଠି କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ମେ ପହିଲାରୁ ଘରୋଇ ହସ୍ପିଟାଲରେ କେତେ ରହିବ ଟିକାର ଦର ? ତାକୁ ନେଇ ଘରୋଇ ହସ୍ପିଟାଲ୍ ଏବଂ ଟିକା ଅପେକ୍ଷାରେ ଥିବା ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣେ ରାଜ୍ୟ ସରକାର କାହିଁକି ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ନିଷ୍ପତ୍ତି ନେଇପାରୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଅପରାଜିତା।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟିକାକରଣ ଅଭିଯାନ। କେଉଁଠି ଲମ୍ବାଲାଇନ୍ ଲଗାଇ ମାଗଣାରେ ତ ଆଉ କେଉଁଠି ଧାର୍ଯ୍ୟ ଦର ମୁତାବକ ଟଙ୍କା ଗଣି ଟିକା ନେଉଛନ୍ତି ଲୋକେ। ତାହାରି ଭିତରେ ଘରୋଇ ହସ୍ପିଟାଲରେ ଟିକାକରଣକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ଘରୋଇ ହସ୍ପିଟାଲରୁ କଣ ଆଉ ମିଳିବନି ଅଢ଼େଇ ଶହ ଟଙ୍କାରେ କରୋନା ଟିକା ? ଏଣିକି ଚଢ଼ା ଦାମ ଦେଇ ଘରୋଇ ହସ୍ପିଟାଲରୁ ଟିକା ନେବେ କି ଜନସାଧାରଣ ? ମେ ପହିଲାରୁ ବଦଳିଯିବ କି ଟିକାର ଦର ? କାରଣ ସବୁ ଜିଲ୍ଲାପାଳ ଏବଂ ୫ଟି ମହାନଗର ନିଗମ କମିଶନରଙ୍କୁ ଗୁରୁବାର ଏକ ଚିଠି ଲେଖି ସଫା ସଫା ମନା କରିଦେଇଛି ସ୍ୱାସ୍ଥ୍ୟ ବିଭାଗ।  ଆସନ୍ତା ମେ ୧ରୁ ଘରୋଇ ହସ୍ପିଟାଲ୍ ତଥା କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟରକୁ ଆଉ ଯୋଗାଇ ଦିଆଯିବନି କରୋନା ଟିକା। ଘରୋଇ ହସ୍ପିଟାଲ୍ ଗୁଡ଼ିକ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀଠାରୁ ସିଧାସଳଖ ଟିକା କିଣିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ୍‌ ଡୋଜ୍ ପିଛା କୋଭିସିଲ୍ଡ ଦର ବିଭିନ୍ନ ରାଜ୍ୟ ସରକାରଙ୍କ ପାଇଁ ୪ଶହ ଏବଂ ଘରୋଇ ହସ୍ପିଟାଲ୍ ଗୁଡ଼ିକ ପାଇଁ ୬ ଶହ ଟଙ୍କା ରଖିଛି। ତେବେ ସେହି ଟିକାକୁ ଓଡ଼ିଶା ସରକାର ରାଜ୍ୟର ସବୁ ଘରୋଇ ମେଡ଼ିକାଲକୁ ବର୍ତ୍ତମାନ ଡୋଜ୍ ପିଛା ଦେଢ଼ ଶହ ଟଙ୍କାରେ ଯୋଗାଉଛନ୍ତି। ସେଥିରେ ଅତିରିକ୍ତ ଶହେ ଟଙ୍କା ପ୍ରୋସେସିଂ ଚାର୍ଜ ମିଶାଇ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଲୋକଙ୍କଠାରୁ ଡୋଜ୍ ପିଛା ଅଢ଼େଇ ଶହ ଟଙ୍କା ନେଉଛନ୍ତି। ତେବେ ମେ୧ରୁ ଟିକା ଯୋଗାଣ ବନ୍ଦ ପରେ ଘରୋଇ ଟିକାକରଣ କେନ୍ଦ୍ର ଗୁଡ଼ିକରେ କେତେ ରହିବ ଟିକା ଦାମ୍ ? ସେରମ୍ ଇନଷ୍ଟିଚ୍ୟୁଟ୍‌ଠାରୁ ଘରୋଇ ମେଡ଼ିକାଲ୍ ଗୁଡ଼ିକ ଆଗକୁ ଡୋଜ୍ ୬ଶହ ଟଙ୍କାରେ କିଣିଲେ ଲୋକଙ୍କୁ କେତେରେ ଦେବେ ? ଅଢ଼େଇ ଶହ ଟଙ୍କାରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ମେ ୧ରୁ କେତେ ଟଙ୍କାରେ ନେବେ ଦ୍ୱିତୀୟ ଡୋଜ୍ ? ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ହୋଇନଥିବାରୁ ତାକୁ ନେଇ ଏବେ ଦ୍ୱନ୍ଦ୍ୱରେ ସମସ୍ତେ।

ମେ୧ରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହେବ ଟିକାକରଣ ଅଭିଯାନ। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ବିହାରଠୁ ଆରମ୍ଭ କରି ସିକିମ୍‌, ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଭଳି ଅନେକ ରାଜ୍ୟ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦେବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଅଥଚ ଓଡ଼ିଶା କାହିଁକି ଏଯାଏଁ ନିଷ୍ପତ୍ତିି ନେଇପାରୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉ ବୋଲି ଟ୍ୱିଟ୍‌ କରି ଦାବି ଉଠାଇଛନ୍ତି ଅପରାଜିତା।

You might also like