ନ୍ୟାୟ ଦେବା ତାଲିକାରେ ଟପ୍ରେ ମହାରାଷ୍ଟ୍ର, ଓଡ଼ିଶାର ସ୍ଥାନ କେଉଁଠି?
ଭୁବନେଶ୍ୱର: ନ୍ୟାୟ ଦେବାରେ ବହୁ ପଛରେ ଓଡ଼ିଶା। ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ୧୧ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏହା କେବଳ ଦେଶର ଅନ୍ୟ ରାଜ୍ୟମାନଙ୍କଠୁ ନୁହେଁ, ବରଂ ଗତବର୍ଷର ନିଜ ରାଙ୍କିଙ୍ଗ୍ରୁ ବି ଓଡ଼ିଶା ଏବର୍ଷ ଆହୁରି ପଛେଇ ଯାଇଛି। ଏକଥା ସ୍ପଷ୍ଟ ହୋଇଛି, ସଦ୍ୟ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦ରୁ ଏହି ରିପୋର୍ଟରେ ଦର୍ଶାଯାଇଛି। ଗତବର୍ଷ ଓଡ଼ିଶା ବଡ଼ ରାଜ୍ୟ ତାଲିକାରେ ସପ୍ତମ ସ୍ଥାନରେ ଥିଲା ହେଲେ ଏଥର ୪ଟି ସ୍ଥାନ ତଳକୁ ଖସି ରାଙ୍କିଂରେ ୧୧ ନମ୍ବରରେ ରହିଛି।
ନ୍ୟାୟ ପ୍ରଦାନ କ୍ଷେତ୍ରରେ ସାମଗ୍ରିକ ଭାବେ ଓଡ଼ିଶାକୁ ୧୦ ମାର୍କରୁ ମିଳିଛି ୪.୯୦ ଅର୍ଥାତ୍ ଅଧା ନମ୍ବର ବି ସ୍କୋର୍ କରିପାରିନି। ରାଜ୍ୟ ପୋଲିସ ବ୍ୟବସ୍ଥା, ଜେଲ୍ ବ୍ୟବସ୍ଥା, ନ୍ୟାୟିକ ବ୍ୟବସ୍ଥା ଓ ଆଇନଗତ ସହାୟତା ଏହି ୪ଟି ପ୍ରମୁଖ ଦିଗ ଉପରେ ଭିତ୍ତି କରି, ରାଜ୍ୟମାନେ ସମସ୍ତଙ୍କୁ ନ୍ୟାୟ ଦେବାରେ କେତେ ସକ୍ଷମ ତାହା ପରଖାଯାଇଛି।
ଯେଉଁଥିରେ ଗତବର୍ଷ ଅପେକ୍ଷା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଓଡ଼ିଶା। ଓଡ଼ିଶାର ପୋଲିସ ବ୍ୟବସ୍ଥାରେ ୩, ଜେଲ୍ ବ୍ୟବସ୍ଥାରେ ୯ ଓ ଆଇନଗତ ସହାୟତାରେ ୮ ରାଙ୍କ୍ରେ ଥିବା ବେଳେ, ନ୍ୟାୟିକ ବ୍ୟବସ୍ଥାରେ ୧୮ଟି ରାଜ୍ୟ ଭିତରେ ୧୫ତମ ସ୍ଥାନରେ ରହିଛି। ଏଥିପାଇଁ ଦୁର୍ବଳ ଭିତ୍ତିଭୂମି ଓ ବିଚାରପତି ପଦବୀ ଖାଲି ପଡ଼ିବାକୁ ଦାୟୀ କରିଛନ୍ତି ବରିଷ୍ଠ ଆଇନଜୀବୀ।
ହାଇକୋର୍ଟରେ ବିଚାରପତି ରହିବା କଥା, ଏହାର ଅଭାବ ସବୁବେଳେ ପାଇଁ ରହୁଛି। ଏକପ୍ରକାରର କହିଲେ ଅଧାଅଧି ରହୁଛନ୍ତି। ଦ୍ୱିତୀୟତଃ ଲୋକସଂଖ୍ୟା ବଢୁଛି, ମାମଲା ବଢୁଛି ତାହା ସହ ନୂଆ ନୂଆ ଆଇନ୍ ବି ଆସୁଛି। ଯେତେ ଆଇନ୍ ନୂଆ ହେବ, ସେତିକି ପଦକ୍ଷେପ ନେବାର ପ୍ରକ୍ରିୟା ବଢି ବଢି ଚାଲିବ। ସେଥିପାଇଁ ଇନ୍ଫାଷ୍ଟ୍ରକଚର୍ ବଢାଇବାକୁ ପଡ଼ିବ।
-ସୌରଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ
ଟାଟା ଟ୍ରଷ୍ଟ୍ସ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଓ ପ୍ରକାଶିତ ଏହି ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟରେ, ବଡ଼ ରାଜ୍ୟ ତାଲିକାରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଶୀର୍ଷରେ ରହିଛି ମହାରାଷ୍ଟ୍ର। ମହାରାଷ୍ଟ୍ରର ସ୍କୋର୍ ୧୦ରୁ ୫.୭୭ ଥିବାବେଳେ ମହାରାଷ୍ଟ୍ର ତଳକୁ ତାମିଲନାଡ଼ୁ ଓ ତେଲେଙ୍ଗାନା ରହିଛି। ୭ଟି କ୍ଷୁଦ୍ର ରାଜ୍ୟଙ୍କୁ ନେଇ ପ୍ରସ୍ତୁତ ତାଲିକାରେ ତ୍ରିପୁରା ଟପ୍ କରିଛି।
ଯେତେବେଳେ ପୋଲିସ୍ ମୁଖ୍ୟ ଭୂମିକା ଗ୍ରହଣ କରି ଶାସକ ଦଳକୁ ଚିର କାଳ ପର୍ଯ୍ୟନ୍ତ ସୁରକ୍ଷା ଦେଉଛି, ସେଠି ଜଣେ ନ୍ୟାୟ ପାଇବ କେମିତି?
-ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତ୍ରୀ
ଜଣେ ଜାମିନ୍ ପାଇବା ପାଇଁ ତାକୁ ବହୁତ ଦିନ ଲାଗି ଯାଉଛି। ଏପରିକି ଦୋଷୀ ସାବ୍ୟସ୍ତ ହେବା ପାଇଁ ବହୁତ ଦିନ ଲାଗି ଯାଉଛି। ଲୋକ କେମିତି ନ୍ୟାୟ ଜଲଦି ପାଆନ୍ତୁ, ଏନେଇ ରାଜ୍ୟ ସରକାର ଉଦାସୀନ।
-ଦେବାଶିଷ ପଟ୍ଟନାୟକ, କଂଗ୍ରେସ ନେତା
ନ୍ୟାୟ ଦେବାରେ ଓଡ଼ିଶା Rank ଏଥର ୧୧; ଗତଥର ଓଡ଼ିଶା ୭ ନମ୍ବରରେ ଥିଲା, ଏବେ ୪ଟି ତଳକୁ ଖସିଲା, ପୂର୍ବ ବର୍ଷ ଭଳି ଏବର୍ଷ ବି ମହାରାଷ୍ଟ୍ର ନ୍ୟାୟ ପ୍ରଦାନରେ ୧ ନମ୍ବର #IndiaJusticeReport pic.twitter.com/in0PFZ8Nzl
— ଓଟିଭି (@otvkhabar) January 29, 2021
ଏହି ତାଲିକାରୁ ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଦିଗରେ ରାଜ୍ୟମାନଙ୍କ ଆଭିମୁଖ୍ୟ ଓ ଚେଷ୍ଟା ସଂପର୍କରେ ଧାରଣା ମିଳୁଛି ବୋଲି ରିପୋର୍ଟରେ କୁହାଯାଇଛି। ଏ କ୍ଷେତ୍ରରେ ଓଡ଼ିଶାର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ସରାକରଙ୍କୁ ଦାୟୀ କରିଛନ୍ତି ବିରୋଧୀ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।
କଟକରୁ ଗୌତମ ପଣ୍ଡା ଏବଂ ଭୁବନେଶ୍ୱରରୁ ବଳରାମ ମହାନ୍ତି ଓ ଅତୁଲ୍ୟ ବାଉତଙ୍କ ରିପୋର୍ଟ