ଭୁବନେଶ୍ୱର: ଆଉ ଶସ୍ତାରେ ଖାଇବେନି ସାଂସଦ। ଏଣିକି ସଂସଦ କ୍ୟାଣ୍ଟିନ୍ରେ ଖାଇଲେ ସାଂସଦଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବ୍ସିଡି ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଅର୍ଥାତ୍ ୨୯ରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନେ ଏହି ସେସନ୍ରେ ବିନା ସବ୍ସିଡିରେ, ପୂର୍ବରୁ ଯେତିକି ଦେଉଥିଲେ ତାର ଦେଢ ଗୁଣା ଟଙ୍କା ଦେଇ ଖାଦ୍ୟ ଖାଇବେ।
ବିଭିନ୍ନ ମହଲରୁ ଦାବି ପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ସାଂସଦ ଓ ଅନ୍ୟ କର୍ମଚାରୀଙ୍କୁ ସବ୍ସିଡିରେ ଖାଦ୍ୟ ମିଳୁଥିଲା। ତେବେ ସବ୍ସିଡି ହଟାଇ ଦେବା ପାଇଁ ବହୁ ପୂର୍ବରୁ ଦାବି ହୋଇ ଆସୁଥିଲା। ଅନ୍ୟପକ୍ଷରେ, ଦର ବଢାଇ ଏବେ ନୋ ପ୍ରଫିଟ, ନୋ ଲସ୍ରେ କ୍ୟାଣ୍ଟିନ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଦର ସହିତ ମେନ୍ୟୁରେ ଥିବା ଖାଦ୍ୟକୁ ମଧ୍ୟ ବଢ଼ାଇ ଦିଆଯାଇଛି। ଆମିଷ ଓ ନିରାମିଷ ମିଶାଇ ଏବେ ମୋଟ ୫୮ ପ୍ରକାରର ଖାଦ୍ୟ ଉପଲ୍ଲବ୍ଧ ହେବ। ଯାହା ମଧ୍ୟରେ ରହିଛି ମଟନ୍ ବିରିୟାନୀ, ଚିକେନ୍ ବିିରିୟାନୀ, ଭେଜ୍ ବିରିୟାନୀ, ମାଛ, ଚିପ୍ସ, ସାଲାଡ୍, ମସଲା ଉପମା, ଉଥପମ୍ ଇତ୍ୟାଦି।
ଜାଣନ୍ତୁ ପୂର୍ବରୁ କେଉଁ ଖାଦ୍ୟର ଦର କେତେ ଥିଲା ଓ ଏବେ କେତେ ହେବ...
ପୂର୍ବରୁ ଚିକେନ୍ ବିରିୟାନୀ ଖାଇଲେ ଦେବାକୁ ପଡୁଥିଲା ୭୦ ଟଙ୍କା, ଏବେ ଏଥିରେ ୩୦ ଟଙ୍କା ବଢିଛି, ଅର୍ଥାତ୍ ଏବେ ଦେବାକୁ ପଡିବ ୧୦୦ ଟଙ୍କା। ମଟନ୍ ବିରିୟାନୀ ଯାହାର ଦାମ୍ ପୂର୍ବରୁ ଥିଲା ୧୦୦ ଟଙ୍କା ଏବେ ଏହା ୧୫୦ ଟଙ୍କା ହୋଇଛି। ସେହିପରି ଭେଜ୍ ବିରିୟାନୀ ପାଇଁ ଦେବାକୁ ପଡିବ ୫୦ ଟଙ୍କା ଏବଂ ଏକ ନିରାମିଷ ଥାଳି ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ଗ୍ରୀନ୍ ସାଲାଡ୍ ପ୍ଲେଟ୍ ପୂର୍ବରୁ ୧୦ ଟଙ୍କା ଥିବା ବେଳେ ଏବେ ହୋଇଛି ୨୫ ଟଙ୍କା। ମାଛ ଓ ଚିପ୍ସ ପ୍ଲେଟ୍ର ଦାମ୍ ୧୧୦ ଟଙ୍କା ହୋଇଥିବା ବେଳେ ଗୋଟିଏ ଆଳୁ ଚପ୍ର ଦାମ୍ ୧୦ ଟଙ୍କା ହୋଇଛି। ସବ୍ସିଡି ହଟାଯିବା ପଦକ୍ଷେପକୁ ସାଂସଦମାନେ ସ୍ୱାଗତ କରିଛନ୍ତି।
ସଂସଦର ପ୍ରତି ଅଧିବେଶନରେ ଜନ ପ୍ରତିନିଧି,ସରକାରୀ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ପ୍ରାୟ ୪ ହଜାର ୫ଶହରୁ ଅଧିକ ଲୋକ ପାର୍ଲାମେଣ୍ଟ କ୍ୟାଣ୍ଟିନ୍ରେ ଖାଇଥାନ୍ତି।
https://youtu.be/NxaMTSCyY_Y