‘ବିଜେଡି ଖାତାକୁ ଯାଉଛି ଚାଷୀଙ୍କ ଧାନ’

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଧାନ ବିକ୍ରି କରିପାରୁନି। ମଣ୍ଡିରେ ହଇରାଣ ହରକତ ହେଉଛି। ଟୋକନ୍ ବ୍ୟବସ୍ଥା ଚାଷୀଙ୍କୁ ଅଧିକ ହନ୍ତସନ୍ତ କରୁଛି। ରାଜ୍ୟ ସରକାର ଏନେଇ କଣ କରୁଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୧୮୬୮ ଟଙ୍କା ଏମ୍ଏସ୍‌ପି ଧାର୍ଯ୍ୟ କଲେ। ତେବେ ରାଜ୍ୟରେ ଚାଷୀଙ୍କୁ ସେ ସୁବିଧା ମିଳୁନି। ମଣ୍ଡିରେ ସିଧାସଳଖ ମିଲର୍ ଚାଷୀଙ୍କୁ ଧାନ ୨ରୁ ୧୦ କିଲୋ ଯାଏ କାଟିକି ରଖିବାକୁ କହୁଛନ୍ତି। ଖାଲି ଏତିକି ନୁହେଁ, ମିଲର୍ ଏହି ଫାଇଦା ରାଶି ବିଜେଡିକୁ ଦେଉଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ। ହେଲେ କେଉଁ ଆଧାରରେ ରାଜ୍ୟ କ୍ୟାବିନେଟ୍‌ରେ ଏମ୍ଏସ୍‌ପି ପାଇଁ ସଂକଳ୍ପ ନିଆଗଲା ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି।

କେବଳ ଲୋକଦେଖାଣିଆ ଭାବେ ରାଜ୍ୟ ସରକାର ଏସବୁ କରୁଥିବା କହିଛନ୍ତି ପ୍ରଦୀପ। ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ଏମ୍ଏସ୍‌ପି ପାଇଁ  କ୍ୟାବିନେଟ୍‌ରେ ସଂକଳ୍ପ ନେଇଥିଲେ।  ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ ହୋଇଥିଲା। ସେପଟେ ଏନେଇ ଜବାବ ରଖିଛନ୍ତି ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଆଇନ ପୂର୍ବରୁ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା କରିଥିଲେ ଏପରି ହୋଇନଥାନ୍ତା। ଓଡ଼ିଶାରେ MSPରେ ଧାନ କିଣାଯାଉଛି, ଚାଷୀଙ୍କ ପାଇଁ ଯାହା ହେବା କଥା ହେଉଛି। ଟୋକନ ବ୍ୟବସ୍ଥାରେ କାଁ ଭାଁ ଲୋକଙ୍କ ପାଖରେ ଟୋକନ ପହଞ୍ଚିନି। ସବୁ ସ୍ଥାନରେ ମଣ୍ଡି ଖୋଲି ନଥିବା ନେଇ ବିଜେପି ଅଭିଯୋଗରେ ସେ କହିଛନ୍ତି ଯେ ଜିଲ୍ଲାସ୍ତରରେ ଯେଉଁ କ୍ୟାଲେଣ୍ଡର ହୋଇଛି, ସେହି ଅନୁସାରେ ମଣ୍ଡି ଖୋଲିବ। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୪୫ ହଜାର ୬୫୦ ମେଟ୍ରିକ ଧାନ କିଣଯାଇଛି।

 

 

You might also like