ଭୁବନେଶ୍ୱର: କେନ୍ଦ୍ରର ଗାଇଡଲାଇନ୍ ଆଧାରରେ ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। କିନ୍ତୁ ଗ୍ରୀନ୍ ଜୋନ୍ରେ ଅନେକ କୋହଳ ହୋଇଥିଲେବି ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।
- ରାଜ୍ୟ ଗ୍ରୀନ୍ ଜୋନରେ ଚାଲିପାରିବନି ବସ୍। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂର୍ବରୁ କେନ୍ଦ୍ର ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଯାତ୍ରୀ ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିଷେଧ କରିଛନ୍ତି।
- ଏଥିସହ ପୁରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ ଯେପରିକି ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ଆଦି ଖୋଲିବ ନାହିଁ।
- ସେହିପରି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଓ ଅନ୍ୟ ପ୍ରକାରର ମେଳି ଉପରେ ପୂର୍ବବତ କଟକଣା ଜାରି ରହିବ। ଧାର୍ମିକ ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ବନ୍ଦ ରହିବ।
- ମେ ୪ ତାରିଖରୁ ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି ଦେଇଛି ଗୃହ ବିଭାଗ।
- ସମସ୍ତ ପ୍ରକାର ମାଲଗାଡି ଯାଆସ କରିପାରିବ। ଏଥିପାଇଁ କୌଣସି ବିଶେଷ ପାସ୍ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ ଉପରେ କଟକଣା ଜାରି ରହିବ। ତେବେ ଯେଉଁ ପଡୋଶୀ ରାଷ୍ଟ୍ରଙ୍କ ସହ ଆମର ବ୍ୟାବସାୟିକ ଚୁକ୍ତି ଅଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସେସବୁ ଦେଶକୁ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇ ପାରିବେ ନାହିଁ।