ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଅାନ୍ଦୋଳନ

ସମ୍ବଲପୁରରେ ଅଢ଼େଇ ମାସ ହେଲା କୋର୍ଟ କାମ ଠପ୍

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଅହରହ ଜାରି ରହିଛି ଓକିଲଙ୍କ ଅାନ୍ଦୋଳନ । ଦୀର୍ଘ ୭୮ ଦିନ ବିତିଯାଇଥିଲ ବି ସରକାର ନୀରବ। ତେଣୁ ଅାଗକୁ ଅାନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଏବଂ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ଶୁଣାଇଛନ୍ତି । ସେପଟେ ଅାଇନସେବା ପ୍ରଭାବିତ ହୋଇଥିବାବେଳେ ଜାମିନ ନପାଇ ଛୋଟମୋଟ ମାମଲାରେ ଜେଲ୍‌ରେ ପଡ଼ିରହିଛନ୍ତି କଏଦୀ ।

ସୋନପୁର ଜିଲ୍ଲାର ମାଖନୀ ମେହେର । ଚୋରୀ ଅଭିଯୋଗରେ ଗିରଫ ହୋଇ ୩ମାସରୁ ଅଧିକ ହେଲାଣି ତାଙ୍କ ଜ୍ୱାଇଁ ଜେଲ୍‌ରେ ଅଛନ୍ତି। ଓକିଲଙ୍କ ଅାନ୍ଦୋଳନ ଯୋଗୁ ଜ୍ୱାଇଁଙ୍କୁ ଜାମିନ ମିଳିପାରୁନାହିଁ। ଫଳରେ ଝିଅକୁ ଧରି ବାରମ୍ବାର ଜେଲ୍‌କୁ ଧାଉଁଛନ୍ତି ମାଖନୀ । ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ଉଲୁଣ୍ଡା ଅଞ୍ଚଳର ଦୁର୍ଯ୍ୟୋଟି ଦେହୁରୀ। ୨ ମାସ ହେଲାଣି, ତାଙ୍କ ଭାଇ ଜେଲ୍‌ରେ ଥିବାବେଳେ ତାଙ୍କ ମାମଲା ଗୁଡ଼ିକର ମଧ୍ୟ ବିଚାର ହୋଇପାରୁନି। ଅାଉ ଏପଟେ ଜେଲ୍ ଗୁଡ଼ିକରେ କଏଦୀ ଉଛୁଳିବାରେ ଲାଗିଲେଣି।

ସମ୍ବଲପୁର ମଣ୍ଡଳ କାରାଗାରରେ ୫୧୯ ଜଣଙ୍କ ସ୍ଥାନରେ ବର୍ତ୍ତମାନ ପ୍ରାୟ ଏକ ହଜାର ଅନ୍ତେବାସୀ ରହୁଛନ୍ତି। ଫଳରେ ଜେଲ୍ ପରିଚାଳନାରେ ଗୁରୁତର ସମସ୍ୟା ଉପୁଜୁଥିବା କହିଛନ୍ତି ଜେଲର୍।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଗତ ସେପ୍ଟେମ୍ବର ୫ରୁ କୋର୍ଟ କଚେରୀ ସହ ସରକାରୀ ଅଫିସ ଗୁଡ଼ିକୁ ବନ୍ଦ ରଖିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଅଥଚ ରାଜ୍ୟ ସରକାର ନୀରବ ରହୁଥିବାରୁ ଓକିଲ ସଂଘ ଅାନ୍ଦୋଳନକୁ ତୀବ୍ର କରିଛି। ଯାହାକୁ ବିଭିନ୍ନ ବର୍ଗର ଲୋକେ ସମର୍ଥନ କରିବା ସହ ଅାନ୍ଦୋଳନରେ ସାମିଲ ହୋଇଛନ୍ତି। ଅାସନ୍ତା ୨୯ ତାରିଖରେ ୪୮ ଘଣ୍ଟିଅା ମହାବନ୍ଦର ଡାକରା ଦେଇଛି ସମ୍ବଲପୁର ଓକିଲ ସଂଘ।

ଅପରପକ୍ଷେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଅାସନ୍ତା ୩ ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ।

ସେପଟେ ଦଳ ମତ ନିର୍ବିଶେଷରେ ଗୃହ ଭିତରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଏବଂ ବିରୋଧୀ ବିଧାୟକ। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ୟଶବନ୍ତ ସିଂହ କମିଟି ରିପୋର୍ଟ ଉପସ୍ଥାପନ କରାଯାଉ ବୋଲି ଦାବି କରିଥିବାବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି। ସେହିପରି ବିଜେଡି ବିଧାୟକ ଯୋଗେନ୍ଦ୍ର ବେହେରା ମଧ୍ୟ ସମାନ ସ୍ୱର ଉଠାଇଛନ୍ତି ଗୃହ ଭିତରେ।

You might also like