ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ବି ଚଳଚଞ୍ଚଳ। ଆଜି ଭୋର ସାଢ଼େ ୪ଟାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଖୋଲା ଯାଇଥିଲା।

ନୂଆ ଶାଢ଼ୀ ସହ ଅଳଙ୍କାର ଧାରଣ ପରେ ରୀତିନୀତି ଆରମ୍ଭ ହୋଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ।

ମାଆ ସମଲେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ପରେ ଲୋକେ ନୂଆ ଖାଇବେ। ଏଥିପାଇଁ ଘରେ ଘରେ ପିଠାପଣାର ପ୍ରସ୍ତୁତି ଚାଲିଛି। ଖିଆପିଆ ସାଙ୍ଗକୁ ନାଚଗୀତରେ ଦୁଲୁକୁଛି ଗାଁରୁ ସହର। ଘରେ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଁଖାଇ ପାଳୁଛନ୍ତି। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମ୍ବଲପୁରୀ ଭାଷାରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି,“ ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍।।”

You might also like