ଭୁବନେଶ୍ୱର: ଅବପାତ(ଡିପ୍ରେସନ୍)ର ରୂପ ନେଇଥିବା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ୱେଲ୍ମାର୍କଡ୍ ଲୋ-ପ୍ରେସର(ଲଘୁଚାପ) ଆସନ୍ତା କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ(ଡିପ୍-ଡିପ୍ରେସନ୍) ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହା ବିଶାଖାପାଟଣାରୁ ୩୧୦ କି.ମି. ଦକ୍ଷିଣପୂର୍ବ ଦିଗରେ ରହିଛି। ଆଜି ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ନର୍ସାପୁର ମଧ୍ୟରେ ଅତିକ୍ରମ କରିପାରେ। ଏବେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି।
ଏହାର ପ୍ରଭାବରେ ଓଡ଼ଶାର ଅଧିକାଂଶ ଜିଲ୍ଲାରେ ୧୩ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ସକାଳ ଯାଏ ୫ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ ଉପକୂଳ ଓଡିଶାରେ ଆଜି ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫କିଲୋମିଟର ରହିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷେ, ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି।