ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌, ଅମାନିଆଙ୍କ ଉପରେ କଡ଼ା ନଜର

  • ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ
  • ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ
  • ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ
  • କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ
  • ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ନିୟୋଜିତ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ହୋଇଛି। କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଳନ ପାଇଁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ କରାଯାଇଛି। ସଟଡାଉନ୍ ଅବଧି ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଏହା ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ। ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାଇପାରିବେ।

ସପ୍ତାହାନ୍ତ ସଟଡାଉନ୍ ବେଳେ ସକାଳ ୫ଟାରୁ ୬ଟା ଯାଏ ୧ ଘଣ୍ଟା ଲାଗି ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକ୍ଲିଂ ଆଦି ବ୍ୟାୟାମ ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ ବେଳେ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ ହେଉଛି। କଟକର ୨୫ ଓ ଭୁବନେଶ୍ୱରରେ ୪୩ଟି ଜାଗାରେ ନାକା ପଏଣ୍ଟ ହୋଇଛି। କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହୋଇଥିବା ବେଳେ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ନିୟୋଜିତ ହୋଇଛନ୍ତି। ସଟ୍‌ଡାଉନ୍‌ ସମୟରେ ଘରୁ ଲୋକଙ୍କୁ ନବାହାରିବାକୁ ନିବେଦନ ସହ ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି।

ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁ ଶନିବାର ଓ ରବିବାର ଦୁଇଦିନ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବ। ଜରୁରୀ କାମ ନଥିଲେ କୌଣସି ଲୋକ ଘରୁ ନ ବାହାରିବାକୁ ପୁରୀ ସହରବାସୀଙ୍କୁ ନିବେଦନ କରିଛନ୍ତି ଏସ୍‌ପି କେ.ବି ସିଂହ। ସଟ୍‌ଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ।

ସଟ୍‌ଡାଉନ୍‌ ସମୟରେ କେବଳ ରେଲ୍‌ୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ ମୋ ବସ୍‌। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ତଥା ରେଲ୍‌ୱେ ଷ୍ଟେସନଠାରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ। ଯାତ୍ରୀଙ୍କୁ ଷ୍ଟେସନଠାରୁ ନେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବ।

ସେପଟେ କାନପୁର ଆଇଆଇଟି ପକ୍ଷରୁ ପ୍ରସ୍ତୁତ ଏକ ଗାଣିତିକ ମଡେଲ୍ ଅନୁଯାୟୀ, ମେ’ ୧ରୁ ୫ ତାରିଖ ଭିତରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ କୋଭିଡ୍ ସଂକ୍ରମଣ। ଏହି ସମୟରେ ରାଜ୍ୟରେ ସଂକ୍ରମଣ ପିକ୍‌ରେ ପହଞ୍ଚିପାରେ। ସେତେବେଳେ ଦିନକୁ ରାଜ୍ୟରେ ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇପାରନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ହୋଇଛନ୍ତି।

You might also like