ଭୁବନେଶ୍ୱର:ଗତ ଦୁଇ ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ।
ଏହା ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ପ୍ରବଳ କିମ୍ବା ଅତି ପ୍ରବଳ ବର୍ଷା ହେବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କଟକ-ଭୁବନେଶ୍ୱର ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୧୧ଟା ୩୦ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର।
ବର୍ଷା ଯୋଗୁ ରାସ୍ତାଘାଟ ଭଲ ଭାବେ ଦିଶିବନି। ରାସ୍ତାରେ ବର୍ଷା ପାଣି ଜମିବାର ଆଶଙ୍କା ଥିବାରୁ ଚାଲିବାବେଳେ ମ୍ୟାନ୍ ହୋଲ୍ ଉପରେ ନଜର ରଖିବାକୁ କୁହାଯାଇଛି। ଟ୍ରାଫିକ ଜାମ୍ ହୋଇପାରେ। ତେଣୁ ଚାଲିବା ବେଳେ ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ରର ପରାମର୍ଶ ଦେଇଛି।
ଏଥିସହିତ ସମ୍ଭାବ୍ୟ ଅବପାତ ପାଇଁ ପୁରୀ ଓ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆଜିଠୁ ୨୪ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।