ରାଜ୍ୟରେ ଆହୁରି ୪ ଦିନ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ‘ୱେଲମାର୍କ ଲୋ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି।
ଗଞ୍ଜାମ, ପୁରୀ, ଗଜପତି ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଏହାଛଡ଼ା ଗଂଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୩ରୁ ୪ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୱେଲମାର୍କ ଲୋ ଏବେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଉପରେ ରହିଛି।
ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଦୀପାବଳି ପୂର୍ବରୁ ବର୍ଷା କମିଯିବ ବୋଲି କହିଛି ପାଣିପାଗ ବିଭାଗ।