ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର, ଜାଣନ୍ତୁ କେଉଁ ଜିଲ୍ଲାର ତାପମାତ୍ରା ରହିଛି କେତେ?
ଜଳୁଛି ସାରା ଓଡ଼ିଶା
ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ବୋଲି ସୂଚନା ମିଳିଛି। ଏହାସହ ତାଳଚେର ୪୨.୭, ବୌଦ୍ଧ ୪୨.୫, ବଲାଙ୍ଗିର ୪୨.୨, ଟିଟିଲାଗଡ଼ ୪୨, ଅନୁଗୁଳ ୪୧.୯, ସୋନପୁର ୪୧.୮, ବାଲେଶ୍ୱର ୪୧.୪ ,କଟକ ୪୦.୫ ଏବଂ ଭୁବନେଶ୍ୱର ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ସେପଟେ, ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର।
ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼। ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, ହୀରାକୁଦ ୪୧.୧ ଡିଗ୍ରୀ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ। ଆସନ୍ତା ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦିଆଯାଇଥିଲା।