୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ନାହିଁ, କେଉଁ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ?

୧୦ ଡିଗ୍ରି ତଳେ ୭ ଜିଲ୍ଲାର ପାରଦ

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହି ।  ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ତେବେ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ । ଝାରସୁଗୁଡ଼ା ଓ କନ୍ଧମାଳ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍ ‌ରେକର୍ଡ ହୋଇଥିଲା ।

ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫ ଡିଗ୍ରି ରେକର୍ଡ ହୋଇଥିଲା । ରାଜ୍ୟର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ‌ଦେଖିବାକୁ ମିଳିଥିଲା । ପୁରୀ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇଥିଲା । ରାସ୍ତାଘାଟ ଜୁଆଡ଼େ ଦେଖିବ କୁହୁଡ଼ିରେ ଭର୍ତ୍ତି ହୋଇଥିଲା । ରାସ୍ତାଘାଟ ଠିକରେ ଦେଖାଯାଉ ନଥିଲା । ତେବେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗର ଲୁଚକାଳି ଖେଳ ଚାରି ରହିବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଆଜି ରାଜ୍ୟର ୭ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି  । ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡିର କିଛି ସ୍ଥାନରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ତେବେ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳନ ନିୟନ୍ତ୍ରଣ କରିବା ଜରୁରୀ । କୁହୁଡ଼ି ସତର୍କତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସ‌ଆର‌ସି ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ୧୯ ଓ ୨୦ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିବ। ନେଇ ଆକଳନ କରାଯାଉଛି, ଯଦ୍ୱାରା ରାଜ୍ୟରେ ଶୀତ କମିବ । ଅନ୍ୟପଟେ ପାଣିପାଗ ବିଭାଗ ସୂଚନା ଅନୁସାରେ ୨୧ ତାରିଖରୁ ପାରଦ ପୁଣି ଖସିବ ଓ ଶୀତ ବଢ଼ିବ । ୨୧ରୁ କୁହୁଡ଼ିର ଘନତା ବଢ଼ିବାର ସମ୍ଭାବନା ରହିଛି । ଜାଡ଼ରେ ଥରହର ହେବ ସାରା ଓଡ଼ିଶା । ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ । ୨୨ ତାରିଖ ସୁଦ୍ଧା ଉଭୟ ତାପମାତ୍ରା ୨ରୁ ୩ ଡିଗ୍ରି କମିବ ଏବଂ ୨୩ ତା‌ରିଖରୁ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଫଳରେ ଉତ୍ତର ଓଡ଼ିଶାରେ ମଧ୍ୟ ତାପମାତ୍ରା  ବଢ଼ିବ ଓ କମିବ।

You might also like