ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି ଭିକ ମାଗିଲେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ରାଜଧାନୀରେ କୋଭିଡ ଯୋଦ୍ଧା ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ରାଜରାସ୍ତାରେ ପିପିଇ କିଟ୍ ପିନ୍ଧି କୋଭିଡ ଯୋଦ୍ଧା ଭିକ ମାଗିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜି, ମାଷ୍ଟର କ୍ୟାଣ୍ଟିନ ଓ ଜନପଥରେ ବୁଲି ବୁଲି ପାରା ମେଡିକାଲ ଷ୍ଟାଫ ଭିକ ମାଗିଛନ୍ତି। କୋଭିଡ ସମୟରେ ଏମାନେ ନିଯୁକ୍ତି ପାଇଥିଲେ। ୪୬ ଦିନ ଧରି ଆନ୍ଦୋଳନ ପରେ ବି ସେମାନଙ୍କର ଥଇଥାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଏମିତି ପ୍ରତିବାଦ କରିଛନ୍ତି।

ସେମାନେ କହିଛନ୍ତି, ଏତେ ଦିନ ଧରି କାମ କରିବା ପରେ ସେମାନଙ୍କୁ ଛଟେଇ କରାଯାଇଛି। ଏବେ ସେମାନେ କରିବେ କଣ, ତେଣୁ ପେଟ ପୋଷିବା ପାଇଁ ବାଧ୍ୟ ହୋଇ ଭିକ ମାଗୁଛନ୍ତି। ପିପିଇ କିଟ୍‌ ପିନ୍ଧି ‘ବଞ୍ଚିବା ପାଇଁ ଖାଦ୍ୟ ଦିଅନ୍ତୁ’ ବୋଲି ଲେଖାଯାଇଛି।

ଆହୁରି ପଢନ୍ତୁ : ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ଜଣେ ମୃତ, ୬୩ ଆକ୍ରାନ୍ତ

ଆମେ ହେଲୁ ସେଇ କରୋନା ଯୋଦ୍ଧା, ଯିଏ ବିଶ୍ୱ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ୯ମାସ କାମ କରିଥିଲୁ। ନିଯୁକ୍ତି ଦେବାକୁ କହି ପରେ ଛଟେଇ କଲେ। ସେଥିପାଇଁ ଆମେ ରାଜଧାନୀ ରାଜରାସ୍ତା କଡ଼ରେ ୪୬ ଦିନ ହେଲାଣି ଧାରଣାରେ ବସିଛୁ। ଖାଇବା ପିଇବା ନାହିଁ, ହାତରୁ ବି ପଇସା ସରିଗଲାଣି। ବଞ୍ଚିବା ଖାଦ୍ୟ ଦରକାର, ପେଟ ପାଇଁ ଆମେ ଏଠି ଭିକ୍ଷାବୃତ୍ତିକୁ ଆପଣାଇ ଦେଇଛୁ। ଏପର୍ଯ୍ୟନ୍ତ ସରକାର ଶୁଣିନାହାନ୍ତି କିନ୍ତୁ ଶୁଣିବେ ବୋଲି ଆମେ ଆଶା ରଖିଛୁ। 
-ଆନ୍ଦୋଳନଋତ ପାରା ମେଡିକାଲ ଷ୍ଟାଫ

ସେହିପରି ଗତ ଡିସେମ୍ବର ମାସରେ ଜଣେ କରୋନା ଯୋଦ୍ଧା(ANM କର୍ମୀ) ଆତ୍ମାହୁତି ଉଦ୍ୟମ କରିଥିଲେ। ଚାକିରି ଛଟେଇ କରିବା ପ୍ରତିବାଦରେ ଦିନରାତି ଲୋୟର ପିଏମ୍‌ଜିରେ ANM କର୍ମୀ ଆନ୍ଦୋଳନ  କରିଥିଲେ। ଅଭିଯୋଗ ଥିଲା- ଚାକିରି ଛାଡ଼ି ନୂଆ ଜୀବିକା ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୬ ମାସ କାଳ ନିଜ ଜୀବନକୁ ପାଣି ଛଡ଼ାଇ ଏବଂ ପିଲା ପରିବାରଙ୍କୁ ପଛରେ ପକାଇ ରୋଗୀ ସେବାରେ ରାତି ଦିନ ଲାଗିଥିଲେ। ହେଲେ ସଂକ୍ରମଣ ଥମିବା ପରେ ଚାକିରି ଛଟେଇ କରିଥିବା ଅଭିଯୋଗ କରିଥିଲେ।

You might also like