‘ଗତ ୧୪ ଦିନରେ ଓଡ଼ିଶାର ଦୁଇ ସଂକ୍ରମିତ ଜିଲ୍ଲାରେ ବାହାରିନି କରୋନା ‌ପଜିଟିଭ’

ଭୁବନେଶ୍ୱର: ଭାରତର ୨୩ ରାଜ୍ୟର ସଂକ୍ରମିତ ହୋଇଥିବା ୪୭ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ‘କରୋନା’ ପଜିଟିଭ ଆସିନି।  ଉକ୍ତ ୪୭ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା ରହିଛି। ଓଡ଼ିଶାର ପୁରୀ ଓ ଭଦ୍ରକ ଜିଲ୍ଲାରେ ୧୪ ଦିନ ହେଲାଣି ପଜିଟିଭ ନାହିଁ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ।

ତବଲିଗି ଜମାତ୍ ପାଇଁ ଦେଶରେ ୨୯.୮ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଦେଶରେ ଚିହ୍ନଟ ହୋଇଥିବା ୧୪୩୭୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୯୧ଜଣଙ୍କ ନିଜାମୁଦ୍ଦିନ ସହ ଲିଙ୍କ ଥିବା ଜଣାପଡିଛି। ୨୩ ରାଜ୍ୟରେ ଜମାତ ଲିଙ୍କରେ ଚିହ୍ନଟ ହୋଇଛନ୍ତି ୪୨୯୧ ପଜିଟିଭ। ୨୩ ରାଜ୍ୟ ଭିତରୁ ସର୍ବାଧିକ ୮୪% ଆକ୍ରାନ୍ତ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଦିଲ୍ଲୀ, ୟୁପି, ତେଲେଙ୍ଗାନା, ଆନ୍ଧ୍ରର ବି ବହୁ ପଜିଟିଭଙ୍କ ଜମାତ ଲିଙ୍କ୍ ରହିଛି ବୋଲି ଯୁଗ୍ମ ସଚିବ କହିଛନ୍ତି।

ଏପ୍ରିଲ୍‌ ୧ ତାରିଖରେ ଭଦ୍ରକରୁ ପ୍ରଥମ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ସେ ଦୁବାଇରୁ ଭାଇ କୋଲକାତା ଦେଇ ଭଦ୍ରକ ଆସିଥିଲେ। ଭଦ୍ରକ ଆସିବା ପରେ ସେ ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ତେବେ ୧ ତାରିଖରେ ରକ୍ତ ଓ ସ୍ୱାବ୍‌ ଚେଷ୍ଟରୁ ତାଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଭଦ୍ରକରେ ଆଉ ଜଣେ ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଥିଲା।

ଭଦ୍ରକ ପରି ପୁରୀ ଜିଲ୍ଲାରେ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ସେ ଜଣେ ଡାକ କର୍ମଚାରୀ। ଭୁବନେଶ୍ୱର ବିଜେବି ନଗର ଡାକ ଅଫିସ୍‌ରେ କାର୍ଯ୍ୟରତ ଥିଲେ। ଦିଲ୍ଲୀ ନିଜାମୁଦ୍ଦିନ୍‌ ଧାର୍ମିକ ସଭାରୁ ଫେରି ଚାକିରିରେ ଯୋଗଦେଇ ସେ ଡାକ ବିତରଣ କରିଥିଲେ। ପରେ ତାଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଇ ଯାଇଥିଲା। ତାଙ୍କ ଶରୀରରେ ‘କରୋନା’ ଭାଇରସ୍‌ ଥିବା ସ୍ପଷ୍ଟ ହୋଇଥିଲା।

ହେଲେ ଗତ ୧୪ ଦିନ ହେଲା ଏହି ଦୁଇ ଜିଲ୍ଲାରେ ‘କରୋନା’ ରୋଗୀ ଚିହ୍ନଟ ହୋଇନାହାନ୍ତି। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତା ଯୋଗୁଁ ଗତ ୧୪ ଦିନ ହେଲା ନୂଆ ‘କରୋନା’ କେସ୍‌ ଆସିନଥିବା ଅନୁମାନ କରାଯାଉଛି।

You might also like