ଭୁବନେଶ୍ୱର: କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ। ତେବେ କୋଭିଡ୍ ଟିକା ଜମା କ୍ଷତିକାରକ ନୁହେଁ ବୋଲି କହିବା ସହ ସମସ୍ତେ ଟିକା ନେବାକୁ ଅପିଲ୍ କରିଛନ୍ତି ଡିଏମ୍ଇଟି।

ମହାମାରୀକୁ ନୁହେଁ କରୋନା କବଚକୁ ଭୟ। ଟିକା ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି ଲୋକେ। ରାୟଗଡ଼ା କୋଲନରା ବ୍ଲକର ଆଦିବାସୀ ଗାଁରେ ଟିକା ଭୟରେ ପଡ଼ିଥିଲା ତାଟି କବାଟ। ମେଡିକାଲ ଟିମ ଦେଖିଲେ ଘର ଛାଡ଼ି ପଳାଉଛନ୍ତି ଗ୍ରାମବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର କୁମ୍ଭୀରମୁଣ୍ଡି ଗାଁର ଲୋକମାନେ କହିଛନ୍ତି, ଟିକା ନେଲେ ଅସୁସ୍ଥ ହୋଇଯିବେ ବୋଲି। କେଉଁଠୁ ଗୁଜବ ଶୁଣିବା ପରେ ଟିକା ନେବାକୁ ପୁରା ଅମଙ୍ଗ। ଲୋକଙ୍କ ରୋକଠୋକ ଉତ୍ତର ଆମ ଦେହ ଠିକ୍ ଅଛି, ଟିକା ନେବୁନି। ସେପଟେ କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଖରବା ଗାଁର କିଛି ଲୋକ ଟିକା ନେବା ପରେ ସାମାନ୍ୟ ଜ୍ୱରରେ ପଡ଼ିବା ପରେ ଏବେ ଗାଁ ସାରା ଲୋକ ଟିକା ନେବାକୁ ଅରାଜି।

କୋରାପୁଟ ନାରାୟଣପାଟଣାର ବାଗାମ ଗ୍ରାମବାସୀଙ୍କୁ ବୁଝାଇ ବୁଝାଇ ନିରାଶ ହୋଇଗଲେ ଆଶାଦିଦି। ଟିକା ନେବା ଦୂରର କଥା ଜ୍ୱର ହେଉଥିବା ଜାଣିଲେ କାଳେ ମେଡିକାଲ ନେଇଯିବେ ସେ ଭୟରେ ଔଷଧ ଖାଇବାକୁ ମନା କରିଦେଉଛନ୍ତି ଲୋକେ। ଜିଲ୍ଲାର ଲମତାପୁଟରେ ଲୋକଙ୍କ ଯୁକ୍ତି, ଟିକା ନେଲେ କାଳେ ୭ରୁ ୮ ଦିନ ଦେହ ଖରାପ ହେବ। କାମ ବନ୍ଦ ହୋଇଗଲେ ପେଟ ପୋଷିବୁ କେମିତି ବୋଲି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶ୍ନ କରିବା ସହ ଟିକାକୁ କରୁଛନ୍ତି ବିରୋଧ। ସେପଟେ ଗଂଜାମ ବୁଗୁଡ଼ା ବ୍ଲକର ଗୋଲିଆ ପଞ୍ଚାୟତ ବାସିନ୍ଦା କାଳେ ମରିଯିବେ ସେ ଭୟରେ ଟିକା ନେଉନାହାନ୍ତି।

କୋଭିଡ୍ ମୁକାବିଲା ପାଇଁ ଏବେ ସବୁଠୁ ବଡ଼ ଅସ୍ତ୍ର ଟିକା। ଲୋକଙ୍କୁ ସଚେତନ କରି ଟିକା ଦେବାକୁ ପଡ଼ିବ ଅନେକ ପରୀକ୍ଷା ନିରୀକ୍ଷା ପରେ ଟିକାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଏହି ଟିକା ଜମା କ୍ଷତିକାରକ ନୁହେଁ ବୋଲି କହିଛନ୍ତି ଡିଏମ୍ଇଟି। କୋଭିଡ୍ ବିରୋଧୀ ଲଢେଇରେ ଏବେ ବାଧକ ସାଜିଛି ଗୁଜବ, ଭୁଲଧାରଣା ଓ ନିରକ୍ଷରତା। ତେବେ ଟିକାକୁ ତ୍ୱରାନ୍ୱିତ କରିବାକୁ ସରକାର ପଦକ୍ଷେପ ନେଉଥିବା ଜଣାଯାଇଛି।

Other Stories