“ସମ୍ଭାବ୍ୟ ବାତ୍ୟାକୁ ନେଇ ଆମେ ପ୍ରସ୍ତୁତ”

ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଏସଆର୍‌ସି ପ୍ରଦୀପ ଜେନା। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି IMD, NDMA ସଦସ୍ୟଙ୍କ ସହ ବୈଠକ ହୋଇଛି। IMDର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ଏବଂ ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ IMD ଏ ପର୍ଯ୍ୟନ୍ତ କହିହେବ ନାହିଁ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ରଖି ପ୍ରସ୍ତୁତ ହୋଇଛନ୍ତି।

ଓଡ୍ରାଫ, ଅଗ୍ନିଶମ ଏବଂ NDRF ଟିମକୁ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଗୁଜରାଟ ଯାଇଥିବା NDRFର ୫ଟି ଟିମ୍ ଆଜି ଫେରି ଆସିବେ। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି। ଯେଉଁ ମାଛଧରା ବୋଟ୍ ସମୁଦ୍ରରେ ଅଛନ୍ତି, କୋଷ୍ଟଗାର୍ଡ ସେମାନଙ୍କୁ ଫେରାଇ ଆଣୁଛନ୍ତି। ବାତ୍ୟା ମୁକାବିଲା ନେଇ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି। ନିଜ ନିଜ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ବାତ୍ୟା କ୍ଷୟକ୍ଷତି ରୋକିବା ଲାଗି ବିଭିନ୍ନ ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି। ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲିବେ ବୋଲି ସେ କହିଛନ୍ତି।

ସେପଟେ, ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ ଏହି ତିନି ବିଭାଗର ସମନ୍ୱୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯିବ, ଯେଉଁଠି ଯାହା ଅସୁବିଧା ହେବ ସେହି ନମ୍ବରରେ ଲୋକେ ଜଣାଇ ପାରିବେ। ଯେହେତୁ ଖରା ଦିନେ ବାତ୍ୟା ଆସୁଛି ତେଣୁ ବନ୍ୟା ସ୍ଥିତି ଉପଜିବ ନାହିଁ, କେବଳ ଫ୍ଲାସ୍ ଫ୍ଲଡ଼ ସ୍ଥିତି ଆସିପାରେ ବୋଲି ଆଶଙ୍କା କରିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ବିଭିନ୍ନ ବନ୍ଧରେ ପେଟ୍ରୋଲିଂକୁ କଡାକଡି କରାଯିବ। ଡ୍ରେନେଜ ଗୁଡିକୁ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ଏପଟେ,  ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। କଟକସ୍ଥିତ ଓ଼ଡ୍ରାଫ କାର୍ଯ୍ୟାଵୟକୁ ଯାଇ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟାର ମୁକାବାଲି ଲାଗି ଓଡ୍ରାଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ ଡିଜି।

ସମ୍ଭାବ୍ୟ ବାତ୍ୟା ଲାଗି ପାରାଦୀପ ସମୁଦ୍ର ଅଞ୍ଚଳରେ କୋଷ୍ଟ ଗାର୍ଡ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ମଧ୍ୟ କରାଯାଉଛି। ଗଭୀର ସମୁଦ୍ର ମଧ୍ୟକୁ ନ ଯିବାକୁ ନାଲି ପତାକା ଦେଖାଇ ଯବାନମାନେ ବାରଣ କରୁଛନ୍ତି। ଏହାସହ ସମୁଦ୍ର ଭିତରେ ସାଇରନ ବଜାଇ କୋଷ୍ଟ ଗାର୍ଡ ଯବାନ ପାଟ୍ରୋଲିଂ କରୁଛନ୍ତି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାରେ ସତର୍କ କରାଉଛନ୍ତି ଯବାନ। ପାରାଦୀପ ବନ୍ଦରରେ ପ୍ରବେଶ ପାଇଁ ଅପେକ୍ଷା କରିଥିବା ମାଲବାହୀ ଜାହାଜଗୁଡିକ ଆଙ୍କରେଜ୍ ଅଞ୍ଚଳ ଛାଡି ନିରାପଦ ଦୂରତାକୁ ଚାଲିଯିବାକୁ କୋଷ୍ଟ ଗାର୍ଡ ପକ୍ଷରୁ ସତର୍କ କରାଯାଇଛି।

You might also like