ଖରା ବଢ଼ୁଛି,ପାଣି ଟୋପାଏ ମିଳୁନି : ଲୋକେ ପିଉଛନ୍ତି ଝରଣାର ଦୂଷିତ ଜଳ

ରାମଚନ୍ଦ୍ରପୁର(ମନୋଜ ପାତ୍ର): ଖରା ବଢିବା ସହ ବଢୁଛି ଜଳକଷ୍ଟ । ପିଇବା ପାଣି ଟୋପାଏ ମିଳୁନି ।  ରାମଚନ୍ଦ୍ରପୁରରେ ଏବେ ଭୀଷଣ ଜଳକଷ୍ଟ ଦେଖାଦେଇଛି । ଗାଁରେ ଥିବା ଏକମାତ୍ର ନଳକୂପ ଠିକ୍‍ ଭାବେ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସୋଲାର ପମ୍ପର ମୋଟର ଖରାପ ହୋଇ ଯାଇଥିବାରୁ ଦୀର୍ଘଦିନ ଅକାମୀ ହୋଇ ପଡି ରହିଛି । ଫଳରେ ମାଣି ମୁନ୍ଦିଏ ପାଇଁ ଲୋକେ ବାଧ୍ୟ ହୋଇ ଅଧ କିଲୋମିଟର ଦୂର ଯାଇ ଦୂଷିତ ଝରଣାର ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ।

ରାୟଗଡା ସଦର ବ୍ଲକ୍‍ ପିପିଳିଗୁଡା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମ । ସକାଳୁ ସକାଳୁ ନଳକୂଅ ନିକଟରେ ଲାଗୁଛି ଶତାଧିକ ମହିଳାଙ୍କ ଭିଡ । ସତେ ଯେପରି ରଥଯାତ୍ରା ହେଉଛି । କାହା ହାତରେ ଗରା ତ ଆଉ କାହା ହାତରେ ମାଠିଆ । ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ନଳକୂଅ ପାଖରେ ଜଗି ବସିଛନ୍ତି । ଆଉ କିଛି ମହିଳା ଗାଁ ଠାରୁ ଅଧକିଲୋମିଟର ଦୁରରେ ଥିବା ନାଳରୁ ପାଣି ଛାଣିବାରେ ସମୟ କାଟୁଛନନ୍ତି । ନାଳରୁ ପାଣି ଆଣିଲେ ଘରେ ରୋଷେଇ ହେବ । ସେଠାରେ ମଧ୍ୟ ପାଣି ଛାଣିବାକୁ ଲମ୍ବା ଲାଇନ୍‍ ଲଗାଇ ଅପେକ୍ଷା କରିବାକୁ ପଡୁଛି । ସହର ଠାରୁ ମାତ୍ର ୧୬ କିଲୋମିଟର ଦୁରରେ ଥିବା ଏହି ଗାଁର ଏହେଉଛି ଦୂରାବସ୍ଥା । ନଳକୂଅ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ଝରଣାର ଦୂଷିତ ପାଣି ପିଉଥିବା କହିଛନ୍ତି ଗ୍ରାମବାସୀ ।

ପିପଳଗୁଡା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ରହନ୍ତି ୫୦ ପରିବାରର । ସେମାନଙ୍କ ପାଇଁ ରହିଛି ଏକମାତ୍ର ନଳକୂପ । ପାଣି ସମସ୍ୟାକୁ ଦେଖି ଗତବର୍ଷ ଏକ ସୋଲାର ପମ୍ପ ମଧ୍ୟ ବସାଯାଇଥିଲା । ହେଲେ ତିଆରି ହେବା ଦିନରୁ ତାହା ଅଚଳ ହୋଇ ପଡି ରହିଛି । ତେଣୁ ବର୍ଷର ବାରମାସ ଏହି ଗାଁରେ ଜଳକଷ୍ଟ ଲାଗି ରହିଥାଏ । ବର୍ଷର ଅନ୍ୟଦିନ କଷ୍ଟେମଷ୍ଟେ ଚଳିଯାଏ, ହେଲେ ଖରାଦିନ ଆସିଲେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉଛି । ଆଉ ଗୋଟିଏ ନଳକୂପ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି ବୋଳି ଅତ୍ୟନ୍ତ କ୍ଷୋଭର ସହ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 

You might also like