ଖରା ବଢିବା ସହ ବଢୁଛି ଜଳକଷ୍ଟ

ବାସୁଦେବପୁର ଓ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକରେ ପାଣି ଟୋପାଏ ପାଇଁ ବିକଳ ହେଉଛନ୍ତି ଲୋକେ

ବାସୁଦେବପୁର,ମୋହନା(କିରିଟି ଦାସ ଓ ମିହିର ଜତି): ଖରା ବଢିବା ସହ ବଢୁଛି ଜଳକଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଉତ୍କଟ ପାଣି ସମସ୍ୟାର ବିକଳ ଚିତ୍ର । କେଉଁଠି ନଳକୂଅ ସମସ୍ୟା ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ ନିର୍ଭରଶୀଳ ଗ୍ରାମବାସୀ ।   ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକରେ ପାଣି ଟୋପାଏ ପାଇଁ ବିକଳ ହେଉଛନ୍ତି ଲୋକେ।

ଦୁଇଟି ନଳକୂପକୁ , ୪ ଶହ ପରିବାର । ଖରାଦିନେ ସ୍ଥିତି ଏମିତି ହୋଇଛି ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ପ୍ରତିବର୍ଷ ଖରାଦିନେ ଏମିତି ଜଳକଷ୍ଟ ଭୋଗୁଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାନଗର ବାସିନ୍ଦା । ଖାଲି ଏମିତି ନୁହେଁ ଗୋଟେ କିଲୋମିଟର ଚାଲିଲେ ପଡିବ ନଳକୂପ । ଫଳରେ ଖରାଦିନେ ଗାଁର ମହିଳାଙ୍କୁ ପାଣି ପାଇଁ କମ୍ କଷ୍ଟ କରିବାକୁ ପଡେନି ।  ଗାଁର ସମସ୍ୟାକୁ ଦେଖି ବସୁଧା ଯୋଜନାରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ବସାଯାଇଥିଲା ଆଉ ଷ୍ଟାଣ୍ଡପୋଷ୍ଟ ବି ବସିଥିଲା । ହେଲେ କିଛି ଦିନ ପରେ ଏହା ବି ଅଚଳ । ତେବେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ପାଣି ପାଇପ୍ ଲିକ୍ ହୋଇଛି ଖୁବଶୀଘ୍ର ମରାମତି ହେବ ।

ସମାନ ସମସ୍ୟା ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକର ଏ. ଅନ୍ତରଳି ଓ ବି. ଅନ୍ତରଳି ଗାଁରେ ଦେଖିବାକୁ ମିଳିଛି । ପାହାଡ ଉପରେ ଥିବା ଦୁଇଟି ଗାଁରେ ବର୍ଷା ଓ ଶୀତ ଦିନେ ପାଣିର ସମସ୍ୟା ନଥାଏ । ଝରଣା ପାଣିରେ କାମ ଚଳିଯାଏ । ହେଲେ ଖରାଦିନେ ଝରଣାରେ ପାଣି କମୁଥିବାରୁ ପାଇପ୍ ସଂୟୋଗ ହୋଇ ଆସୁଥିବା ପାଣି ପର୍ଯ୍ୟାପ୍ତ ହେଉନାହିଁ । ଖାଲି ପାଣି ନୁହେଁ ଅନ୍ୟ ମୌଳିକ ସୁବିଧାରୁ ବି ଗ୍ରାମବାସୀ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ କଲେ ବି ସରକାର କିମ୍ବା ପ୍ରଶାସନ କେହି ଶୁଣୁନଥିବାରୁ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ତେବେ ଏହି ଦୁଇ ଗାଁର ସମସ୍ୟା କଥା ସ୍ୱୀକାର କରିଛନ୍ତି ବିଡିଓ ।

 

You might also like