ଜଳ ଯୋଗାଣ ବ୍ୟବସ୍ଥା ଫେଲ୍ : ଗୋଲିଆ ପାଣି ହିଁ ସାହା ଭରସା

ଜଳେଶ୍ୱର/ଚୌଦ୍ୱାର : ତାତିଠୁ ବଳି ଯାଉଛି ଜଳ ଯନ୍ତ୍ରଣା। କେଉଁଠି ନଳକୂଅ ଅଚଳ ତ ଆଉ କେଉଁଠି ଜଳ ଯୋଗାଣ ବ୍ୟବସ୍ଥା ଫେଲ୍। ଫଳରେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ । ଖରାଦିନେ ପାଣି ଟିକିଏ ପାଇଁ ବାଲେଶ୍ୱର ତାଡଦା ପଞ୍ଚାୟତ ଓ ଚୌଦ୍ୱାର ଦଳିତ ସାହିର ଲୋକେ ଏଭଳି ହିନସ୍ତା ହେଉଥିବା ଦେଖିବାକୁ ମିଳେ।

ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ତାଡଦା ପଞ୍ଚାୟତରେ ନଳକୂପ ଅଛି ହେଲେ ପାଣି ବାହାରୁନି। ଷ୍ଟାଣ୍ଡ୍‌ପୋଷ୍ଟ ବି ଅଛି ହେଲେ ପାଣି ଆସିବା ତ ଦୂରର କଥା ଅନାବନା ଗଛଲତା ମାଡିଗଲାଣି। ନଳକୂପରୁ ପାଣି ବାହାରୁଥିଲେ ମଧ୍ୟ ତାହା ବ୍ୟବହାର ଉପଯୁକ୍ତ ହେଉନି। କାରଣ ଏଥିରୁ ବାହାରୁଥିବା ପାଣିର ରଙ୍ଗ ନାଲି । ଖରାଦିନେ ପାଣି ପାଇଁ ନିଇତି ଏହି ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ଦେଖାଯାଏ।

ପଞ୍ଚାୟତକୁ ଜଳଯୋଗାଣ ପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ବସିଛି। ପାଇପ୍ ବିଛାଯାଇ ଷ୍ଟାଣ୍ଡପୋଷ୍ଟ ବି ବସିଛି, ହେଲେ ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ପାଣି ଟାଙ୍କି।  ଫଳରେ ବାଧ୍ୟ ହୋଇ ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ । ଲୋକଙ୍କ ଅଭିଯୋଗ ସରପଞ୍ଚଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ ବି ଦୂର ହୋଇନି ସମସ୍ୟା । ସେପଟେ ଅଭିଯୋଗ ପରେ ନଳକୂପ ମରାମତି ହୋଇଛି, ଆଉ କିଛି ଖରାଦିନ ପରେ ଆପେ ଠିକ୍ ହୋଇଯିବ ବୋଲି କହିଛନ୍ତି ସ୍ଥାନୀୟ ବିଡିଓ ଜ୍ଞାନ ରଞ୍ଜନ ସାହୁ। କେତେକ ସ୍ଥାନରେ ନଳକୂପଗୁଡିକ ସଂପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ସେସବୁ ନୂଆ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିଭଳି ସମାନ ସମସ୍ୟା ଭୋଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ବ୍ଲକ୍ ମାଗୁରା ପଞ୍ଚାୟତର ବଡଦେବିଲ ଗ୍ରାମବାସୀ । ଏଠିବି ନଳକୂଅରୁ ବାହାରୁଛି ଗୋଳିଆ ପାଣି । ସାହି ମଝିରେ ଏକ ବାମ୍ଫି ଥିଲେ ମଧ୍ୟ ଗ୍ରୀଷ୍ମର ପ୍ରଭାବରେ ତାହା ଶୁଖିଗଲାଣି। ଏଣୁ ଲୋକେ ବାଧ୍ୟ ହୋଇ ଏକ କିଲୋମିଟର ଦୂରରେ ଚାଷ ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୁଅର ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କୁଅ ପାଖକୁ ଯିବାକୁ ରାସ୍ତା ନ ଥିବାରୁ ଲୋକେ କେନାଲ ଉପରେ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି। ଜୀବନ ପ୍ରତି ବିପଦ ଥିବା ସତ୍ୱେ ଦୁଃଖ ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ। ପ୍ରାୟ ୧୫ ବର୍ଷ ହେବ ଲୋକେ ଏଭଳି ହନ୍ତସନ୍ତ ହେଉଥିବା ବେଳେ ବିଭିନ୍ନ ମହଲରେ ଦାବି କରିଥିଲେ ମଧ୍ୟ ଖାଲି ପ୍ରତିଶ୍ରୁତି ଛଡା ସମସ୍ୟା ସମାଧାନ ହେଉ ନ ଥିବା କୁହନ୍ତି ଗ୍ରାମବାସୀ। ତେବେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like