ନଦୀରେ ପାଣି ନାହିଁ, ଫସଲ କେମିତି କରିବ ସେନେଇ ଚିନ୍ତାରେ ଚାଷୀ

ପାଣି ନାହିଁ, ଚିନ୍ତାରେ ଚାଷୀ

ନେମାଳ:(ମନୋଜ ଆଚାର୍ଯ୍ୟ)  ଦିନେ ଯେଉଁ ନଦୀକୁ ଦେଖି ଛାତି କୁଣ୍ଢେମୋଟ ହୋଇଯାଉଥିଲା, ଆଜି ସେଇ ନଦୀ ଦୁଃଖ ଦେଉଛି। ନଦୀର ଶୁଖିଲା ଶଯ୍ୟାକୁ ଦେଖି ସବୁ ସରାଗ ମରିଯାଉଛି ଚାଷୀ ମନରୁ। ନଈ ପାଣି ଶୁଖିଯିବା ପରେ ଏବେ ଚାଷ କାମ କେମିତି ହେବ, ସେନେଇ ଚିନ୍ତାରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଅନେକ ନଈ କୂଳିଆ ବାସିନ୍ଦା।

ସଙ୍କଟରେ ଚାଷୀଙ୍କ ଭାତହାଣ୍ଡି। ଶୁଖିବାରେ ଲାଗିଛି ନଦୀ, ଚିନ୍ତାରେ ନଈ କୂଳିଆ ବାସିନ୍ଦା। କଟକ ନେମାଳ ବଟ ନିକଟ ମଣ୍ଡନ ଗାଁ ପଠା ନିକଟରୁ ମଲା ନଈ ପାଲଟିଯାଇଛି ଚିତ୍ରୋତ୍ପଳା। ପାଖାପାଖି ୪୮ କିଲୋମିଟର ଧରି ନଦୀର ଶଯ୍ୟା କେବଳ ବାଲି ହିଁ ବାଲି ରହିଛି। ଏସବୁ ଅଂଚଳରେ ନଦୀପାଣି ନଆସିବା ହେତୁ କମିବାରେ ଲାଗିଛି ଭୂତଳ ଜଳସ୍ତର। ଫଳରେ ପ୍ରଭାବିତ ହେଉଛି ପନିପରିବା ଚାଷ। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଅଂଚଳବାସିନ୍ଦା।

ତେବେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ନଇ ମୁହାଣ ଏତେ ମାତ୍ରାରେ ପୋତି ହୋଇଯାଇଛି ଯେ, ନେମାଳ ପାଖରୁ ଏହି ନଦୀ ବାହାରିଛି କିନ୍ତୁ ଏ ନଦୀରେ ଠୋପେ ପାଣି ନାହିଁ। ଆଜିକା ଦିନରୁ ନଦୀରେ ପାଣି ପୂରା ଶୁଖିଗଲାଣି, ଏହାସହ ପୋଖରୀ ଓ ଗାଢ଼ିଆ ସବୁ ବି ଶୁଖିଗଲାଣି। ଯଦି ଏହି ନଦୀ ମୁହାଣ ଟିକେ ଖୋଲା ଯାଆନ୍ତା ତେବେ ଏହି ନଦୀରେ ଠିକ୍‌ ଭାବରେ ପାଣି ଆସନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ନଚେତ୍‌ ନଦୀ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ।

ସେପଟେ ଜଣେ ଚାଷୀ ଅଭିଯୋଗ କରିଛନ୍ତି ଯେ, ମୁହାଣ ପୋତି ହେବାରୁ ପାଣି ଆସିପାରୁନାହିଁ। ପାଣ ନ ଆସିବାରୁ ଆମେ ଚାଷ କାମରେ ପାଣି ଦେଇ ପାରୁନାହୁଁ। ଆମ ପାଖରେ ପାଣି ମଡ଼ାଇବା ଲାଗି କୌଣସି ବ୍ୟବସ୍ଥା ନାହିଁ ତେଣୁ ସଂପୂର୍ଣ୍ଣ ଭାବରେ ନଦୀ ଉପରେ ହିଁ ନିର୍ଭର କରିବାକୁ ପଡୁଛି। କିନ୍ତୁ ପାଣି ଆସିନଥିବାରୁ  ଗଛ ଗୁଡ଼ିକ ସବୁ ଶୁଖିଗଲାଣି ବୋଲି ଚାଷୀ ଜଣକ କହିଛନ୍ତି।

ଏପଟେ ନଦୀ ପଠା ମାଟି ଫାଟି ଆଁ କରିଛି। ପାଣି ଅଭାବରେ ଫସଲ ସବୁ ଝାଉଁଳି ପଡିଲାଣି ତ ଆଉ କେଉଁଠି ଶୁଖି ଝଡିଗଲାଣି। ନଦୀ ଶଯ୍ୟାରୁ ମାତ୍ର କେଇ ହାତ ଦୂରରେ ମାଟିର ଅବସ୍ଥା ଏହିଭଳି ରହିଛି। ଫଳରେ ନଦୀ ଉପରେ ନିର୍ଭରଶୀଳ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ନଈକୂଳିଆ ଜମିରେ ଫସଲ କେମିତି ହେବ, ସେନେଇ ଚିନ୍ତାରେ ଶହଶହ ଚାଷୀ ପରିବାର। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଲୋକେ।

You might also like