ପାଣି ପାଇଁ ଚିରକୁଟି : ଅଙ୍ଗନବାଡି କର୍ମୀଙ୍କଠୁ ଚିରକୁଟ ନେଇ ନଳକୂଅରୁ ପାଣି ସଂଗ୍ରହ

ରାୟଗଡ଼ା ସଦର ବ୍ଳକରନେଲାମେଟା ଗାଁରେ ଅଜବ ଦୃଶ୍ୟ,ଏପଟେ ଟୋପାଏ ପାଣି ପାଇଁ ହନ୍ତସନ୍ତ ଚିତ୍ରକୋଣ୍ଡା ଅଞ୍ଚଳ ଲୋକେ

ରାୟଗଡ଼ା,ଚିତ୍ରକୋଣ୍ଡା(ମନୋଜ ପାତ୍ର ରତ୍ନାକର ପ୍ରଧାନ) : ପାଣି ପାଇଁ ଚିରକୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଛଟପଟ ହେଉଥିବା ବେଳେ ରାୟଗଡ଼ା ସଦର ବ୍ଳକର ନେଲାମେଟା ଗାଁରେ ଏଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟ ନେଇ ଗ୍ରାମବାସୀ ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ସେପଟେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆର.ଏ.ସି-୧୫ ଗ୍ରାମର ଲୋକେ।

ନଳକୂଅ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି । କାହା ହାତରେ ଗରା ତ ଆଉ କାହା ହାତରେ ବାଲଟି। ତା ସାଙ୍ଗକୁ ଖଣ୍ଡେ ଖଣ୍ଡେ ଧଳା କାଗଜର ଚିରକୁଟି । ଚିରକୁଟିରେ ଲେଖାଯାଇଛି ମହିଳାଙ୍କ ନାଁ । ଯାହାକୁ ଚିରକୁଟି ମିଳୁଛି, ସେ ନଳକୂଅରୁ ପାଣି ନେଉଛି । ରାୟଗଡ଼ା ସଦର ବ୍ଲକର ନେଲାମେଟା ଗାଁର ଏ ଦୃଶ୍ୟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । କିନ୍ତୁ ପ୍ରତିଦିନ ପାଣି ପାଇଁ ଅଙ୍ଗନବାଡି କର୍ମୀଙ୍କଠାରୁ ଚିରକୁଟି ସଂଗ୍ରହ କରୁଛନ୍ତି ଗାଁର ମହିଳାମାନେ । ନାଗାବଳୀ ନଦୀ କୂଳରେ ଥାଇ ମଧ୍ୟ ଗାଁରେ ଭୀଷଣ ଜଳକଷ୍ଟ । ୨୦ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ଟ୍ୟୁବୱେଲ, ହେଲେ ତାହା ବି ଠିକ୍ରେ କାମ କରୁନି । ମାତ୍ର ୧୦-୨୦ ହାଣ୍ଡି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନଥିବା ଲୋକଙ୍କ ଅଭିଯୋଗ ।

ସେପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆର.ଏ.ସି-୧୫ ଗାଁରେପାଣି ମୁନ୍ଦାଏ ପାଇଁ ନିଇତି କରିବାକୁ ପଡେ ସଂଘର୍ଷ । ଗାଁରେ ୨ଟି ନଳକୂଅ ଅଛି, କିନ୍ତୁ ଗୋଟିକରୁ ଟିକେ ଟିକେ ପାଣି ବାହାରୁଥିବା ବେଳେ ଅନ୍ୟଟି ଶୁଖିଲା ଅବସ୍ଥାରେ ପଡିରହିଛି । ସକାଳ ହେଲେ ମହିଳାମାନେ ନଳକୂଅ ଆଗରେ ଲଗାଇଥାନ୍ତି ଲମ୍ବା ଲାଇନ୍।  ୧୦-୧୫ ଜଣ ପାଣି ନେବା ପରେ ଆଉ ପାଣି ବାହାରେ ନାହିଁ । ତେଣୁ ସମସ୍ତଙ୍କର ଭରସା ଚୁଆ ପାଣି। ଚୁଆର ଦୂଷିତ ପାଣିକୁ ଗ୍ରାମବାସୀ ପିଇବା, ଗାଧୋଇବା, ଶୌଚ, ଲୁପାସଫା ଭଳି ସବୁ କାମରେ ବ୍ୟବହାର କରିଥାନ୍ତି। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା ବେଳେ ଜଳକଷ୍ଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ, ଯାହାର ସମାଧାନ କରିବା ପ୍ରଶାସନ ପାଇଁ ନିହାତି ଦରକାର ।

 

You might also like