ନବୀନଙ୍କ ଗାଦି ଉପରେ କାହାର ଥିଲା ନଜର ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ବିଜେଡିରେ ଛନ୍‌କା ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରକୃତରେ ୧୯ ନିର୍ବାଚନ ପରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା କି ଷଡ଼ଯନ୍ତ୍ର? ଯଦି ହୋଇଥିଲା, କାହା ପ୍ରରୋଚନାରେ? ତାକୁ ନେଇ ପାଓ୍ୱର କରିଡର୍‌ରେ ଚର୍ଚ୍ଚା। ବିଧାନସଭାରେ ୧୪୭ରୁ ୧୧୩ ସିଟ୍ ବିଜେଡି ଦଖଲ କରିବା ସତ୍ତ୍ୱେ କିଏ ଏପରି ଦୁଃସାହସ କରିବାକୁ ଚେଷ୍ଟା କଲା?

ପ୍ରଦୀପଙ୍କ କହିବା ଅନୁସାରେ ନୂଆ ସାଧାରଣ ସଂପାଦକ ଦାୟିତ୍ୱ ପାଇଥିବା ବିଶ୍ୱଜିତ ମହାନ୍ତି ଏହି ଷଡ଼ଯନ୍ତ୍ର ବିଷୟରେ ତାଙ୍କୁ ଜଣାଇଥିଲେ। ପ୍ରଦୀପ ସାଙ୍ଗେସାଙ୍ଗେ ଏକଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ, ଆଉ ବିଶ୍ୱଜିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା କରାଇଥିଲେ। ତେବେ ଏହି ଘଟଣା ପରେ ବିଜେଡି ସଙ୍ଗଠନ ସାଧାରଣ ସଂପାଦକ ବବି ଓରଫ୍ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ଅଚ୍ୟୁତ ସାମନ୍ତ, ପ୍ରଦୀପଙ୍କ ସହ ଏ ବିଷୟରେ ଆଲୋଚନା କରି କାହିଁକି ମୁଖ୍ୟମନ୍ତ୍ରୀ ସହ ଏଭଳି କଥା ହେଉଛ ବୋଲି ତାଗିଦ କରିଥିଲେ।

ଏହି ଘଟଣା ସଂପର୍କରେ ଆମେ ବିଶ୍ୱଜିତ ମହାନ୍ତିଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ଅନ୍ୟପକ୍ଷରେ ସେହି ରାଗ ରଖି ପ୍ରଦୀପ ପାଣିଗ୍ରାହୀଙ୍କ କ୍ୟାରିୟର ଶେଷ କରିଦେବାକୁ ପ୍ଲଟ୍ ତିଆରି କରାଯାଇଥିବା ଚର୍ଚ୍ଚା ହେଉଛି।

ସେପଟେ ପ୍ରଦୀପ ଆଜି ପୁଣି ଥରେ ମୁହଁ ଖୋଲି ବିଜେଡିର ଆଉ କିଛି ଗୁମର ଖୋଲିଛନ୍ତି। କହିଛନ୍ତି ଗୋଟିଏ ଲୋକଙ୍କୁ ଏବେ ସବୁ ଡରୁଛନ୍ତି। କାହାର ଟିକଟ କଟିଯିବା ଭୟ ରହିଛି ତ କାହାର ମନ୍ତ୍ରୀ ପଦ ଚାଲିଯିବାର ଭୟ। ତେବେ ଦଳ ଭିତରେ ତୀବ୍ର ଅସନ୍ତୋଷ ରହିଛି ପ୍ରଦୀପ। ଏହାବି ଆଶଙ୍କା କରୁଛନ୍ତି ଯେ, ଆଜି ତାଙ୍କ ସହ ଯାହା ହେଲା, ଆଗକୁ ଅନ୍ୟ ନେତାଙ୍କ ସହ ହେବ।

ବିଜେଡିରେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ବିଜେପି କ୍ଷମତାକୁ ଆସିବାକୁ ସବୁ ପ୍ରକାର ଉଦ୍ୟମ କରୁଛି।

ଗୋଟିଏ ପଟେ ବିଜେଡିରେ ଜୋରଦାର ଅସନ୍ତୋଷ ଅନ୍ୟପଟେ ସରକାରକୁ ଗାଦିଚ୍ୟୁତ କରିବାକୁ ତଥାକଥିତ ଷଡ଼ଯନ୍ତ୍ର ପ୍ରଦୀପଙ୍କ ଏ ଦୁଇ କଥା ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ପ୍ରଶ୍ନର କୁହେଳିକା। ତେବେ ପ୍ରଦୀପ ଝଡ଼ ପରେ ବିଜେଡିରେ ଏବେ ଅସମ୍ଭବ ନିରବତା।

You might also like