ଖାଦ୍ୟ ନାଁରେ ବଜାରରେ ବିକ୍ରି କରୁଥିଲେ ବିଷ?

ଖାଦ୍ୟ ନାଁରେ ବିଷ ବେପାର

ପୋକ ସାଲୁବାଲୁ
ମାଛି ଭଣ ଭଣ
ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶ

ଭୁବନେଶ୍ୱର: ଖାଦ୍ୟ ନାଁରେ ବିଷ ବେପାର। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ। ଭୁବନେଶ୍ୱର ଉପକଣ୍ଠ ପାହାଳରେ ଥିବା ଆଚାର ଓ ସସ୍ ୟୁନିଟ୍ ଉପରେ ଫୁଡ୍ ସେଫ୍ଟି ଅଧିକାରୀ ଓ ପୋଲିସର ମିଳିତ ଚଢାଉ ବେଳେ ଏମିତି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଭାତ ଥାଳିରେ ଜାଗା ଟିଏ ନେଉଥବା ଆଚାର ଏମିତି ଢଙ୍ଗରେ ହେଉଛି। ପ୍ରସ୍ତୁତିଟିକୁ ଦଖିଲେ ସମସ୍ତେ ତାଜୁବ ହୋଇଯିବେ। ଆଚାର ପ୍ରସ୍ତୁତିର କଞ୍ଚାମାଲକୁ ଏକ ପ୍ଲାଷ୍ଟିକ୍ କଣ୍ଟେନରରେ ସଢୁଛି। ଲଙ୍କା ଆଉ କଣ୍ଟେନର୍ ସାରା ସାଲୁବାଲୁ ପୋକ। କେବଳ ଲଙ୍କା ନୁହେଁ ୟୁନିଟ୍ ସାରା ଆଖି ବୁଲାଇ ଆଣିଲେ ଯେତେ କଣ୍ଟେନରରେ ଲୁଣ, ଭିନେଗାର ଓ ଆମ୍ବ ପଡ଼ି କଞ୍ଚାମାଲ ଗଚ୍ଛିତ ଅଛି ସବୁ ବହୁ ପୁରୁଣା ଓ ଖାଦ୍ୟ ଅନୁପୋଯୋଗୀ।

ଏମିତି ଢଙ୍ଗରେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଥିବା ପି. କେ. ଫୁଡ୍ସ ପ୍ରଡକ୍ଟ ପ୍ରସ୍ତୁତ କରୁଥିଲା ଆଚାର। ଆଉ ସସ୍ କଥା ତ ନକହିବା ଭଲ। କାରଖାନାରେ ତିଆରି ହେଉଛି ଟମାଟୋ ସସ୍, ହେଲେ ନାହିଁ ଟମାଟୋର ନାଁ ଗନ୍ଧ। ଟମାଟୋ ବଦଳରେ ବ୍ୟବହାର ହେଉଛି ଏକ ପ୍ରକାର ସେମି ଲିକ୍ୟୁଡି। ଏହାପରେ ଖୋଲା ମେଲାରେ ଏହାକୁ ପକାଇ ଦିଆଯାଉଥିଲା ଆଚାର ଓ ସସକୁ ଗାଢ ନାଲି କରିବାରୁ ୟୁନିଟରେ ବ୍ୟବହାର ହେଉଥିଲା କିଛି କେମିକାଲ। ଆଉ ଏମିତି ଢଙ୍ଗରେ ପ୍ରସ୍ତୁତ ପରେ ଚକାଚକ୍ ଲେବଲ ଓ ବଟଲରେ ପ୍ୟାକିଂ ହୋଇ ପଲ୍ପିନା ନାଁରେ ବଜାରକୁ ଆସୁଥିଲା ସସ୍ ଓ ଆଚାର। ଏସବୁ ସାମଗ୍ରୀ ଜବତ ସହ ପରୀକ୍ଷା ପାଇଁ ନମୁନା ନେଇଛି ଫୁଡ୍ ସେଫ୍ଟି ବିଭାଗ।

ତଦନ୍ତରୁ ଜଣାପଡ଼ିଛି ଯେଉଁଠି ଚାଲିଛି କାରଖାନା ସେହି ଜାଗା ପାଇଁ ନାହିଁ ଲାଇସେନ୍ସ୍। ଏଠାରେ ପ୍ରଶ୍ନ ଉଠୁଛି କାରଖାନା ମାଲିକ ପ୍ରମୋଦ କୁମାର ଦାସ କାହିଁକି ଭିନ୍ନ ସ୍ଥାନରେ ଚଳାଇଥିଲେ ପ୍ରଡକ୍ସନ ୟୁନିଟ୍? ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ବର୍ଷ ଏହି କଂପାନୀର FSSAI ସାର୍ଟିଫିକେଟ ରିନ୍ୟୁ କରିଛି ବିଏମ୍ସି। ତେବେ ଲାଇସେନ୍ସ ରିନ୍ୟୁ ପୂର୍ବରୁ ଏହାକୁ ଯାଂଚ କରାଯାଇଥିଲା କି? ଏତେବଡ଼ ଫୁଡ୍ ୟୁନିଟ୍ ଚାଲିଥିଲେ ବି ସେଠାରେ ଖାଦ୍ୟର ମାନ ଯାଂଚ ପାଇଁ କୌଣସି ଲ୍ୟାବ୍ ନାହିଁ କି ନାହାନ୍ତି ଟେକନିସିଆନ୍।

ବର୍ଷକୁ ଦୁଇଥର ପ୍ରଡକ୍ସନ ୟୁନିଟ୍ ଯାଂଚ ହେବା କଥା,ଏହାକୁ ପାଳନ କରାଯାଉଥିଲା କି? ରାଜଧାନୀ ଉପକଣ୍ଠରୁ ଏମିତି ଅପମିଶ୍ରିତ, ନିମ୍ନମାନର ସସ୍ ଓ ଆଚାର କାରଖାନାରେ ଚଢାଉ ପରେ ଉଠିଛି ଅନେକ ଅସମାହିତ ପ୍ରଶ୍ନ। ପୋଲିସ ଓ ଫୁଡ୍ ସେଫ୍ଟି ଅଧିକାରୀଙ୍କ ମିଳିତ ଟିମ। ଚଢାଉ ପରେ ପାହାଳର ଏହି ୟୁନିଟକୁ ଏବେ ସିଲ୍ କରିବା ସହ ମାଲିକଙ୍କୁ ଖୋଜୁଛି ପୋଲିସ।

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ପୂର୍ବରୁ ନକଲି ଘିଅ କାରଖାନା ଠାବ ହୋଇଥିଲା। ତାଛଡ଼ା କଟକରେ ମାଳମାଳ ନକଲି ଖାଦ୍ୟ ସାମଗ୍ରୀ ଧରାପଡ଼ିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହା ପରେ ବି ରାଜଧାନୀ ଉପକଣ୍ଠରୁ ଏମିତି କାରଖାନା ଠାବ ହେବା ପରେ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ।

ଭୁବନେଶ୍ୱରରୁ ଜ୍ୟୋତ୍ସ୍ନାଙ୍କ ସହ ଆଲୋକ ମହାନ୍ତିଙ୍କ ରିପୋର୍ଟ

You might also like