ପଦ୍ମ ପୋଖରୀ ଆଡ଼େ ଯିବାକୁ ମନବଳାଇଲେଣି କି ଭର୍ତ୍ତୃହରି ମହତାବ

ବବି-ଧର୍ମେନ୍ଦ୍ର ମୁହାଁମୁହିଁ

  • ପଦ୍ମ ପୋଖରୀକୁ ଡିଆଁ ମାରିବେ କି ଭର୍ତ୍ତୃହରି ମହତାବ ?
  • ମୋଦି ଓ ଧର୍ମେନ୍ଦ୍ରଙ୍କୁ ଭର୍ତ୍ତୃହରିଙ୍କ ପ୍ରଶଂସା ପରେ ବଢିଲା ଚର୍ଚ୍ଚା
  • ଟ୍ୱିଟରରେ ବବି ଦାସ ଓ ସମ୍ବିତ ପାତ୍ର ହେଲେ ମୁହାଁମୁହିଁ
  • ଧର୍ମେନ୍ଦ୍ରଙ୍କୁ ବବି ଦାସଙ୍କ କଲମ୍ବସ୍ କଟାକ୍ଷ

ଭୁବନେଶ୍ୱର: ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମଧ୍ୟରେ ଲାଗିଛି କଳି। ଗତକାଲି କଟକରେ ବିଷୁବ ମିଳନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭର୍ତ୍ତୃହରିଙ୍କୁ ବିଜେଡି ଉପଯୋଗ କରୁନି ବୋଲି କହିବା ପରେ ଜୋର୍ ଧରିଛି ରାଜନୈତିକ ବିବାଦ। ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରି ବିଜେଡି ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଡଭାନୀ, ମୁରଲୀ ମନହୋରଙ୍କ ଉଦାହରଣ ଦେଇ କଟାକ୍ଷ କରିଥିବା ବେଳେ ଟୁଇଟ୍ ମାଧ୍ୟମରେ ବବିଙ୍କୁ ଜବାବ୍ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ତେବେ ଏସବୁ ଭିତରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଓ ଏବେ ଧର୍ମେନ୍ଦ୍ର ଭର୍ତ୍ତୃହରିଙ୍କୁ ପ୍ରଂଶସା କରିବା ପରେ ଚର୍ଚ୍ଚା, ସେ ବିଜେପି ଆଡେ ଢଳୁନାହାନ୍ତି ତ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଘମାସାନ୍। ଭର୍ତ୍ତୃହରିଙ୍କ ପାଇଁ ବିଜେପି-ବିଜେଡି କଳି ଜୋରଦାର ହୋଇଛି। ଟୁଇଟ୍ ଓ୍ୱାର୍ ମୁହାଁମୁହିଁ ହୋଇଛି। ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେଡି ଓଡ଼ିଶାରେ ଉପଯୋଗ କରୁନି। ବଣମଲ୍ଲୀ ବଣରେ ରହିଯାଇଛି ବୋଲି ଧର୍ମେନ୍ଦ୍ର କହିବା ପରେ ଆଜି ଟୁଇଟ୍ କରି ତାର କାଉଣ୍ଟର କରିଛନ୍ତି ବିଜେଡି ସଂଗଠନ ସାଧାରଣ ସଂପାଦକ ପ୍ରଣବପ୍ରକାଶ ଦାସ। ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିବା ସହ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଉଦାହରଣ ଦେଇ କଟାକ୍ଷ କରିଛନ୍ତି। ପ୍ରଣବ ଲେଖିଛନ୍ତି, ଆପଣ କଲମ୍ବସଙ୍କ ପରି ଭର୍ତ୍ତୃହରିଙ୍କ ବୁଦ୍ଧି ଓ ଅଭିଜ୍ଞତାକୁ ଆବିଷ୍କାର କରିଛନ୍ତି। ମୋର ଅନୁରୋଧ ଆପଣ ଆଡ଼ଭାନୀ ଓ ଯୋଶୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ସେଇଭଳି ସଦୁପଯୋଗ କରନ୍ତୁ।

ଏହାକୁ କାଉଣ୍ଟର କରି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ଲେଖିଛନ୍ତି, ମହତାବଙ୍କ ନାଁ ଶୁଣି ବବି ବାବୁ ଏତେ ଅସହିଷ୍ଣୁ କାହିଁକି? ମହତାବଙ୍କ ଅବଦାନକୁ ନେଇ ଖୁସି ହେବା ବଦଳରେ ଆପଣ କାହିଁକି ରାଗୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ? ଧର୍ମେନ୍ଦ୍ର କଲମ୍ବସ୍ ନୁହଁନ୍ତି ବରଂ ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗାଦାନ ଦେଉଛନ୍ତି ବୋଲି ସମ୍ବିତ କହିଛନ୍ତି। ବିଜେପି ନେତା କାଳନ୍ଦୀ ସାମଲ ବି କଡ଼ା ପ୍ରତିକ୍ରିୟା ରଖି କଟାକ୍ଷ କରିଛନ୍ତି, ବବି ଦାଶଙ୍କ ପାଠ କମ୍, ବସ୍ତାନୀ ବଡ଼ ଏବେ ବିଜେଡିରେ ସାଂସଦ, ବିଧାୟକଙ୍କ ଅବସ୍ଥା କଣ ବୋଲି ପ୍ରଶ୍ନ କରିବା ସହ ପ୍ରଶାସନିକ ଅଧିକାରୀମାନେ ସବୁକିଛି କରୁଛନ୍ତି ସେଥିରୁ ଜଣାପଡୁଛି। ଏହାସହ ନବୀନଙ୍କ ନିୟନ୍ତ୍ରଣ କାହା ଉପରେ ନାହିଁ ବୋଲି ସେ କହିଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଜବାବ ରଖିଛନ୍ତି।

ସେପେଟେ ଭର୍ତ୍ତୃହରି ମହତାବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗିଛି। ଗୋଟିଏ ପଟେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଥିଲେ। ପୁଣି ଗତକାଲି କଟକରେ ବିଷୁବ ମିଳନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ବି ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଥିଲେ। ତେଣୁ ଏବେ ଚର୍ଚ୍ଚା ଭର୍ତ୍ତୃହରି ବିଜେପି ଆଡକୁ ଢଳୁଛନ୍ତି କି? ଆଗକୁ ସେ ପଦ୍ମମୁହାଁ ହେବେ କି? ଭର୍ତ୍ତୃହରିଙ୍କୁ ନେଇ କଟକରେ କିଛି ନୂଆ ପ୍ଳାନ୍ ଚକ୍କରରେ ଅଛିକି ବିଜେପି? ଖୋଦ୍ ଭର୍ତ୍ତୃହରି ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି।

ଭର୍ତ୍ତୃହରି କଟକ ଲୋକସଭା ଆସନରୁ ୬ ଥର ସାଂସଦ ହୋଇଛନ୍ତି। ଶ୍ରେଷ୍ଠ ସାଂସଦ ଭାବେ ବି ପୁରସ୍କୃତ ହୋଇଛନ୍ତି। ୨୦୧୪ରେ ଜିତିବା ପରେ ତାଙ୍କୁ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା କରାଯାଇଥିଲା। ୨୦୧୯ ନିର୍ବାଚନ ସମୟରେ ଶେଷ ମୂହୁର୍ତ୍ତରେ ତାଙ୍କୁ ଟିକଟ ମିଳିଥିଲା। ଆଉ ଜିତିବା ପରେ ଭର୍ତ୍ତହରିଙ୍କ ବଦଳରେ ପିନାକୀ ମିଶ୍ର ହେଲେ ସଂସଦୀୟ ଦଳ ନେତା। ତେଣୁ ଏବେ ଚର୍ଚ୍ଚା ଭର୍ତ୍ତୃହରିଙ୍କ ପାଇଁ ବିଜେଡିରେ ଅଲ୍ ଇଜ୍ ନଟ୍ ୱେଲ୍‌ ସ୍ଥିତି ରହିଛି।

ଭୁବନେଶ୍ୱରରୁ ଅରିନ୍ଦମ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ

You might also like