ଉଷୁନା ଧାନ ପ୍ରସଙ୍ଗ; ଲେଖାଶ୍ରୀ କହିଲେ ସରକାର ମିଲର୍ସଙ୍କ ପାଇଁ ଚିନ୍ତିତ ଚାଷୀଙ୍କ ପାଇଁ ନୁହେଁ

ଭୁବନେଶ୍ୱର: କେନ୍ଦ୍ର ଉଷୁନା ଚାଉଳ ନେଉନଥିବା ନେଇ ବିଜେଡିର ଅଭିଯୋଗ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଲେଖାଶ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ, ମିଲର୍ସଙ୍କ ପାଇଁ ଚିନ୍ତିତ ଅଛନ୍ତି।

ଚାଷୀ ଚାଉଳ ବିକେନି ଧାନ ବିକେ। ମିଲର୍ସମାନେ ଚାଉଳ ବିକନ୍ତି। ଅରୁଆ ଅପେକ୍ଷା ଉଷୁନା ଧାନ ପ୍ରସ୍ତୁତିରେ ମିଲର୍ସଙ୍କୁ ବେଶି ଲାଭ ମିଳେ ବୋଲି ଲେଖାଶ୍ରୀ କହିଛନ୍ତି। ଅରୁଆ ଅପେକ୍ଷା ଉଷୁନାରେ ୭% ଅଧିକ ଚାଉଳ ଉତ୍ପାଦନ ହୋଇଥାଏ। ଉଷୁନା ଧାନ କୁଣ୍ଡାରୁ ତେଲ ଉତ୍ପାଦନ କରି ମିଲର୍ସ ଲାଭବାନ ହୋଇଥାଏ।

ଏଫ୍‌ସିଆଇ ଉଷୁନା ୫୦% ଦେଇ ଅରୁଆ ଯେତେ ଇଚ୍ଛା ଦେବାକୁ କହିଛି। ଉଷୁନା କେବଳ ଓଡ଼ିଶା ଓ ପୂର୍ବ ଭାରତରେ କିଛି ଅଞ୍ଚଳରେ ଚାଲେ। ବାକି ଅନ୍ୟ ସବୁଠି ଅରୁଆ ଚାଉଳ ଚାଲେ। ବିଜେଡି ସେ ପ୍ରସଙ୍ଗ ଲୁଚାଇ ମିଲର୍ସଙ୍କ ସ୍ୱାର୍ଥରେ ଉଷୁନା ରାଜନୀତି କରୁଛି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟରେ ଚାଷୀମାନଙ୍କର ଅବସ୍ଥା ସମସ୍ତଙ୍କୁ ଜଣାଅଛି। ଆଜି ବି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାସ୍ତାରେ ବସିଛନ୍ତି। ହେଲେ ସରକାର ଧାନ ନେଉ ନାହାନ୍ତି। ମଣ୍ଡିର ଅବସ୍ଥା ସମସ୍ତଙ୍କୁ ଜଣା। ଏଥିପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ ବି କାହିଁକି ଖର୍ଚ୍ଚ ହେଉନାହିଁ ସେ ନେଇ ରାଜ୍ୟ ସରକାର ଉତ୍ତର ରଖନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।

ରାଜ୍ୟର ଚାଷୀମାନଙ୍କୁ ଭ୍ରମିତ କରିବା ପାଇଁ ଗତକାଲି ରାଜ୍ୟ ସରକାର ଉଷୁନା ଚାଉଳ କହି କୁମ୍ଭୀର କାନ୍ଦଣା କାନ୍ଦିଲେ। ଅସଲ କଥା ହେଲା ରାଜ୍ୟ ସରକାରଙ୍କର ମିଲରମାନଙ୍କ ଚିନ୍ତିତ ଚାଷୀଙ୍କ ପାଇଁ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି। କାରଣ ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ। ଚାଷୀର ଧାନକୁ ରାଜ୍ୟ ସରକାର କିଣି ମିଲରକୁ ଦେଇ ଉଷୁନା କିମ୍ବା ଅରୁଆ କରିବା କଥା। ସେହି ଚାଉଳକୁ ଏଫ୍‌ସିଆକୁ ଦିଅନ୍ତୁ ବା ନିଜ ପାଖରେ ରଖିପାରିବେ।

କେନ୍ଦ୍ର ସରକାର ଦେଇଥିବା ଚିଠି ଅନୁସାରେ, ଉଷୁନା ଚାଉଳ ୫୦ ପ୍ରତିଶତ ନେଇ ଅଧିକରୁ ଅଧିକ  ଅରୁଆ ଚାଉଳ କିଣାଯାଉଛି। କାରଣ ଓଡ଼ିଶା ତଥା ପୂର୍ବ ଭାରତର ଲୋକ ଅଧିକ ଉଷୁନା ଚାଉଳ ଖାଆନ୍ତି। ଏଫ୍‌ସିଆଇ ପାଖରେ ଓ ରାଜ୍ୟ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉଷୁନା ଚାଉଳ ଅଛି। ତେଣୁ ଏନେଇ ରାଜ୍ୟବାସୀଙ୍କର କୌଣସି ଅସୁବିଧା ହେବନି। ଏଫ୍‌ସିଆଇର କହିବା କଥା ହେଲା ଆବଶ୍ୟକଠାରୁ ଅଧିକ ଉଷୁନା କିଣିଲେ ନଷ୍ଟ ହେବ। ତେଣୁ ଅରୁଆ ବେଶି ଦରକାର ବୋଲି ଏପ୍‌ସିଆଇ କହିଛି। ଅରୁଆ ଚାଉଳ ଡିମାଣ୍ଡ ଅଧିକ ରହିଥିବାରୁ ଏପରି କୁହାଯାଇଛି।

ରାଜ୍ୟ ସରକାର ମିଲରମାନଙ୍କ ଅରୁଆ ତିଆରି କରିବା ପାଇଁ କୁହନ୍ତୁ। ଯେତେ ଅରୁଆ ତିଆରି କରିବେ ସେତେ କିଣିବୁ ବୋଲି ଲେଖାଯାଇଛି, କିନ୍ତୁ ଶାସକ ଦଳ ଏକଥା ଲୁଚାଇ ଉଷୁନା ଉପରେ କ୍ୟାପ୍ ଲଗାଇଲେ ବୋଲି କହିଛନ୍ତି।

ତେବେ କାହା ସ୍ୱାର୍ଥରେ ରାଜ୍ୟ ସରକାର ଉଷୁନା ରାଜନୀତି କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରୁଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବିଜେପି ଅନେକ କଥା କହୁଛି। କିନ୍ତୁ ବାସ୍ତବ କଥା ସାରା ଭାରତରେ ଆଜି ଚାଷୀ ଆନ୍ଦୋଳନ କରୁଛି ସେ ସମ୍ପର୍କରେ ପ୍ରଥମେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।

ପଢନ୍ତୁ ଆଜିର ମୁଖ୍ୟ ପାଞ୍ଚୋଟି ଖବର

You might also like