ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍‌ରେ ଓଡ଼ିଶାର କମଳଲୋଚନ ; ନିଜେ ନଖାଇ ପ୍ରଥମେ ବୁଲା କୁକୁରଙ୍କୁ ଖୁଆନ୍ତି

ଭୁବନେଶ୍ୱର : ଆଜିର ଦୁନିଆରେ ଅର୍ଥ ସ୍ୱାର୍ଥ ମୋହରେ ସମସ୍ତେ ମାତିଛନ୍ତି। ଅନ୍ୟର କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସବୁବେଳେ ଅନ୍ୟର କଥା ବୁଝିଥାନ୍ତି। ନିଜେ ଖାଇବା ବଦଳରେ ଅନ୍ୟର ପେଟ କଥା ଚିନ୍ତା କରନ୍ତି। ସେମାନଙ୍କ ପାଖରେ ନା ଥାଏ ନିଜେ ବଂଚିବା ପାଇଁ ସମ୍ୱଳ ନା ରହିବା ପାଇଁ ଆଶ୍ରୟ। ତଥାପି ସେମାନେ ନିଜ କାମରୁ ହଟି ନଥାନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଭୁବନେଶ୍ୱରର କମଳଲୋଚନ ବଳିଆରସିଂହ। ଯାହାର ନାଁ ଖୁବ୍‌ କମ୍‌ ଲୋକ ଶୁଣିଥିବେ ।

ଦି’ଓଳି ଖାଇବାକୁ କମଳଲୋଚନଙ୍କ ପାଖରେ କିଛି ନାହିଁ, ହେଲେ ଅନ୍ୟର ପେଟ କଥାକୁ ସେ ଭଲ ଭାବରେ ବୁଝନ୍ତି। ସେ ଜଣେ ପଶୁ ପ୍ରେମୀ । ପଶୁମାନଙ୍କ ପାଇଁ ତାଙ୍କ ହୃଦୟ ସବୁବେଳେ କାନ୍ଦୁଥାଏ। ନିଜ ସ୍ୱାସ୍ଥ୍ୟ ପ୍ରତି ସେ ଧ୍ୟାନ ନ ଦେଇ ପଶୁମାନଙ୍କୁ ଖାଇବାକୁ ଦେବାରେ ଆଦର ପାଆନ୍ତି। ନିଜ ଚାରିପଟେ ଥିବା କୁକୁର ପାଇଁ ଖାଇବା ଯୋଗାଇବାରେ ସେ ସବୁବେଳେ ବ୍ୟସ୍ତ। ତାଙ୍କର ଏହି ପରୋପକାର ଓ ପଶୁଙ୍କ ପ୍ରତି ଭଲ ପାଇବା ତାଙ୍କୁ ଆଜି ସାରା ଦେଶରେ ଚର୍ଚ୍ଚିତ କରିଛି। 

କମଳଲୋଚନଙ୍କର ପରୋପକାର ଓ ପଶୁଙ୍କ ପ୍ରତି ସହନଶୀଳତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ। ନିଜ ଟ୍ୱିଟ୍‌ର ଆକାଉଣ୍ଟରେ ଭିଭିଏସ୍ ଲକ୍ଷ୍ମଣ  କମଳଲୋଚନଙ୍କ ଫଟୋ ଶେୟାର କରି  କ୍ୟାପସନରେ ଲେଖିଛନ୍ତି, ‘କମଳଲୋଚନ ପ୍ରତ୍ୟେକ ଦିନ ବୁଲା କୁକୁରଙ୍କୁ ଖାଇବାକୁ ଦେଇଥା’ନ୍ତି। ଯେଉଁସ୍ଥଳରେ ତାଙ୍କୁ ସବୁଦିନ ଖାଇବାକୁ ମିଳି ନ ଥାଏ। ସେ ପଲିଥିନ୍, ଅଳିଆ ଗୋଟାଇ ଜୀବନ ଅତିବାହିତ କରନ୍ତି।  ଅନ୍ୟ କାହାର ଦାନ  ଓ ସାହାଯ୍ୟକୁ  ସେ ଆଶା ନକରି  ନିଃସ୍ୱାର୍ଥପର ଭାବେ ବଞ୍ଚିଛନ୍ତି।’

 

ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣଙ୍କ ଏହି ଟ୍ୱିଟ୍‌ ପରେ କମଳଲୋଚନଙ୍କ ଜୀବନ ଶୈଳୀ ଓ କାର୍ଯ୍ୟକୁ  ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପାଖରେ ତାଙ୍କର  କିଛି ନଥାଇ ବି ସେ ଯେପରି ଜୀବଜନ୍ତୁଙ୍କ ପ୍ରତି ଆଦର ଦେଖେଇଛନ୍ତି , ନିରୀହ ଜୀବଙ୍କ ଜୀବନର ମୂଲ୍ୟକୁ ବୁଝିଛନ୍ତି,  ତାହା ଆଜିର ସମାଜ ପାଇଁ ଏକ ବଡ଼ ଉଦାହରଣ ଓ ପ୍ରେରଣାର ଉତ୍ସ ।

You might also like