ସମ୍ବଲପୁର: ବୁର୍ଲା ଭିସୁଟ୍(Veer Surendra Sai University of Technology)ରେ କରୋନା ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସୁଟ୍କୁ ଶଟ୍ଡାଉନ୍ କରାଯାଇଛି। ବୁର୍ଲା ଭିସୁଟ୍ରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଭିସୁଟ୍ ହଷ୍ଟେଲ୍ ଗୁଡ଼ିକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା ହୋଇଥିବା ଭିସୁଟ୍ର ୧୧ଟି ହଷ୍ଟେଲ ମଧ୍ୟରେ ରହିଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରା। ଏହାସହ ପୁଲହ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି।
ଏହି ସବୁ ଅଞ୍ଚଳରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଥିବା ବେଳେ ତଦାରଖ ପାଇଁ ବୁର୍ଲା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସବୁ ଅଞ୍ଚଳରେ ଲୋକଙ୍କୁ ଘରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ଏହାସହ ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷେ, ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।
ସୂଚନାଥାଉ କି, ଶୁକ୍ରବାର ସମ୍ବଲପୁର ବୁର୍ଲା ଭିସୁଟ୍ର ୨୪ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଶନିବାର ଦିନ ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକା ସାଙ୍ଗରେ ଏତେ ସଂଖ୍ୟକ ଛାତ୍ର କରୋନା ସଂକ୍ରମିତ ହେବା ପରେ ଉପ ଜିଲ୍ଲାପାଳ ଓ ପିଡି ଡିଆର୍ଡିଏ ହଷ୍ଟେଲ୍କୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ।