ବରଗଡ଼: ବିଜେପୁର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ପ୍ରତି ବୁଥରେ ସକାଳ ସାଢେ ୫ଟାରେ ମକ୍ ପୋଲିଂ ପରେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା।
ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୩୨ ହଜାରରୁ ଅଧିକ ଭୋଟର। ଭୋଟ୍ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ବିଜେପୁରରେ ଏଥର ୧୧ଟି ଆଦର୍ଶ ବୁଥ କରାଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଇସିଲଟ ବ୍ଲକର ୬ଟି ବୁଥ୍ ନକ୍ସଲ ପ୍ରବଣ ହୋଇଥିବା ବେଳେ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଲାଗି ୩୩ ପ୍ଲାଟୁନ୍ ଫୋର୍ସ ସହ ୫ କମ୍ପାନୀ ସିଆରପିଏଫ୍ ଓ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି।