• translate
Satyendu Shekher Mishra

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉନଥିବାରୁ ଲୋକେ ଭୋଟ ବର୍ଜନ ଧମକ ଦେଇଛନ୍ତି । ଗାଁରେ ଲୋକେ ବିପିଏଲ ଚାଉଳ ନେଉନଥିବା ବେଳେ ଏନଆରଇଜିଏସ୍ କାମ ବର୍ଜନ କରିଛନ୍ତି । ଗାଁ ପାଖରେ ଥିବା ନନ୍ଦିନୀ ନାଳ ଉପରେ ପୋଲ ନିର୍ମାଣ ସହ ଗାଁକୁ ପକ୍କା ରାସ୍ତା ନିର୍ମାଣ ଲାଗି ଗାଁଲୋକେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଗୋଠଗାଁ ଓ ଠୁରୁବୁରାଇ ମଝିରେ ରହିଛି କଣଭାଗ । ଗ୍ରାମର ଜନସଂଖ୍ୟା ଏକ ହଜାରରୁ ଅଧିକ । ହେଲେ ଆଜି ବି ଏହି ଗ୍ରାମବାସୀ ସରକାରଙ୍କ ସବୁ ମୌଳିକ ସୁବିଧାରୁ ବଞ୍ଚିତ । ଗାଁକୁ କାହିଁ କେଉଁ ଅମଳରୁ ରାସ୍ତାଟିଏ ନାହିଁ । କିଛି ବର୍ଷ ତଳେ ଗାଁକୁ ପକ୍କା ରାସ୍ତା ସମେତ ନନ୍ଦିନୀ ନାଳରେ ପୋଲ ନିର୍ମାଣ ଲାଗି ଅନୁଦାନ ଆସିଥିଲା । ହେଲେ ଗୋଠଗାଁ ଓ ଠୁରୁବୁରାଇ ଗ୍ରାମବାସୀ ଏହାକୁ କରାଇ ଦେଉନଥିବା ଅଭିଯୋଗ କରିଛନ୍ତି କଣଭାଗ ଗ୍ରାମବାସୀ । ଏହି କାରଣରୁ କଣଭାଗ ବାସୀନ୍ଦା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଗ୍ରାମବାସୀ ବିଦ୍ୟୁତ ବିଲ ପୈଠ ନକରିବା ସହ ରାସନକାର୍ଡରେ ସାମଗ୍ରୀ ବି ନେଉନାହାଁନ୍ତି ।

ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଏ ନେଇ ସେ ଅବଗତ ଥିବା କହିଛନ୍ତି । ସମସ୍ୟାର ସମାଧାନ ଲାଗି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ସେ ଜଣାଇବା ସହ ଶୀଘ୍ର ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିର କଣଭାଗ ଗ୍ରାମବାସୀଙ୍କ ଦାବି କେବେ ପୂରଣ ହେଉଛି ତାକୁ ଅପେକ୍ଷ ।

Other Stories