ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ୍‌ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ନିର୍ଦ୍ଧାରଣ କରୁଛନ୍ତି।

ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୩୧ଟି ବୁଥ୍‌ରେ ୱେବ୍‌ କାଷ୍ଟିଂ ଓ ୧୫ଟି ବୁଥ୍‌ରେ ଭିଡି୍ଓ ଗ୍ରାଫି ବ୍ୟବସ୍ଥା ହେବା ସହ ମୋଟ ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ଗତ ଏପ୍ରିଲ୍ ୨୯ରେ ପାଟକୁରାରେ ଲୋକସଭା ପାଇଁ ନିର୍ବାଚନ ହୋଇଥିବାରୁ ଆଜି ମତଦାତାଙ୍କ ବାମ ହାତର ମଧ୍ୟମା ଅଙ୍ଗୁଳିରେ ଭୋଟ୍ କାଳି ଲଗାଯିବ।

୨୪ ତାରିଖରେ ଭୋଟ୍ ଗଣତି ହୋବା ସହ ସେହିଦନ ଫଳ ପ୍ରକାଶ ପାଇବ।

You might also like