ବିପଦରେ ଜୀବନ ଓ ଜୀବିକା, କୁଆଡ଼େ ଗଲେ ନେତା ?

ଭୁବନେଶ୍ୱର: ବିପଦରେ ଜୀବନ, ବିପଦରେ ଜୀବିକା। ଲୋକଙ୍କ ଏଭଳି ମହାବିପଦ ବେଳେ, କୁଆଡ଼େ ଗଲେ ଲୋକ ପ୍ରତିନିଧି? ଗଞ୍ଜାମରେ ମୁତ୍ୟୁ ସଂଖ୍ୟା ୪୮ ଓ ଆକ୍ରାନ୍ତ ସଂଖ୍ୟା ୪୮୬୭ ହେଲାଣି। ହେଲେ ଜିଲ୍ଲାରେ ଦୁଇ-ଦୁଇ ଜଣ ସାଂସଦ, ୧୩-୧୩ ଜଣ ବିଧାୟକ ଥାଇବି, ମହାମାରୀ ପାଦ ରଖିବା ଦିନଠୁ ଏବେ ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ନଥିବା ଲୋକେ ଅଭିଯୋଗ କରିଛନ୍ତି।

କାମଧନ୍ଦା ଅପେକ୍ଷାରେ କର୍ମଜୀବୀ, ଥଇଥାନ ଅପେକ୍ଷାରେ ପ୍ରବାସୀ ବେପାରୀଙ୍କ ବେପାର ବି ବୁଡ଼ିବା ଉପରେ। ସଂଗରୋଧ କେନ୍ଦ୍ରରେ ଭଲ ଖାଇବା ମିଳୁନି, ସେଠୁ ବାହାରିବା ପରେ ଭତ୍ତା ମିଳୁନି। କୋଭିଡ୍ କେୟାର୍ ସେଣ୍ଟରରେ ଯତ୍ନ ମିଳୁନି। ଏ ତମାମ୍ ପ୍ରସଙ୍ଗରେ ସନ୍ତୁଳୁଥିବା ଜନତାଙ୍କ ପାଖରେ, ସେମାନଙ୍କ ନିର୍ବାଚିତ ନେତା ପହଞ୍ଚୁନାହାନ୍ତି କାହିଁକି? ଲୋକଙ୍କ କ୍ଷୋଭ, ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତିର ବନ୍ୟାରେ ଭସାଉଥିବା, ଏପରିକି ଭୋଟ୍ ସାଉଁଟିବାକୁ ସୁରତ ପଳାଇଥିବା ନେତାମାନେ, ଏବେ ସେଇ ସୁରତ ଫେରନ୍ତାଙ୍କ କଥା ଭୁଲିଗଲେ କେମିତି? ଆପେ ବଞ୍ଚିଲେ ବାପର ନାଁ ନୀତି ଆପଣାଉଛନ୍ତି କି ନେତା?

ଲକ୍‌ଡାଉନ, ସଟ୍‌ଡାଉନ ଓ ବିଭିନ୍ନ କଟକଣା ଲାଗୁ ବେଳେ, କେବଳ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖିବାକୁ ମିଳୁଛି। ଏଇ ପ୍ରସଙ୍ଗ ଉଠାଇ, କୋଭିଡ୍ ପରିଚାଳନାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ, ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ହେଲେ କୋଭିଡ୍ ପରିଚାଳନାରେ ନହେଲା ନାହିଁ, ବିପତ୍ତି ବେଳେ ତାଙ୍କୁ ଲୋକଙ୍କ ପାଖରେ ଠିଆ ହେବାକୁ ରୋକିଛି କିଏ? କେବଳ ଜନତା ନୁହଁନ୍ତି, ସାଂସଦ ଓ ବିଧାୟକଙ୍କ ନିରବତା ଓ ଉଦାସୀନତା ମର୍ମାହତ କରିଛି ବୋଲି, ବିରୋଧୀ ଦଳର ସ୍ଥାନୀୟ ନେତାମାନେ କହିଛନ୍ତି।

ଏହି ପ୍ରସଙ୍ଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ବି, ସେମାନେ ପ୍ରତିକ୍ରିୟା ଦେଇନାହାନ୍ତି।

You might also like