ପର କରି ଦେଉଛନ୍ତି ନିଜ ଲୋକ, ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ

ବଲାଙ୍ଗିର/ବ୍ରହ୍ମପୁର: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ନିଜ ଲୋକ ପର କରି ଦେଉଛନ୍ତି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ। ଫଳରେ ମୃତଦେହ ସତ୍କାର ନହୋଇପାରି ଘଣ୍ଟାଘଣ୍ଟା ଧରି ପଡ଼ି ରହୁଥିବା ଦେଖିବାକୁ ମିଳିଛି। ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରେ।

କରୋନା ଭୟରେ ସତ୍କାର ନହୋଇ ପଡି ରହିଲା ଶବ। ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଶାନ୍ତିପଡ଼ାରେ ରହୁଥିବା ପୂର୍ବତନ ବ୍ୟାଙ୍କ କର୍ମଚାରୀ ନବକିଶୋର ବରିହାଙ୍କ ହୃଦ୍‌ଘାତରୁ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହି ଭୟରେ କେହି ବି ଶବ ସତ୍କାର କରିବାକୁ ଆସି ନଥିଲେ। ଶବ ସତ୍କାର ପାଇଁ ନବକିଶୋରଙ୍କ ଦୁଇ ଝିଅ ପଡୋଶୀ, ପରିଜନଙ୍କୁ କହିଥିଲେ ମଧ୍ୟ କେହି ଆସିନଥିଲେ। ଶେଷରେ ଖବର ପାଇ ୪ ଜଣ ସ୍ୱେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ନବକିଶୋରଙ୍କ ମୃତଦେହକୁ ସ୍ଥାନୀୟ ବିଭୁତିପଡ଼ା ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ। ସେଠାରେ ସ୍ଥାନୀୟ ଲୋକ ଶବ ସତ୍କାର କରିବାକୁ ମନା କରିବାରୁ ଶେଷରେ ଆରଟିଓ ଛକ ଶ୍ମଶାନରେ ନେଇ ଶବ ସତ୍କାର କରାଯାଇଥିଲା। ମୃତକଙ୍କ ଜ୍ୱାଇଁ ଆସି ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇଥିଲେ।

ଏମିତି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ମୃତ୍ୟୁ ପରେ ମିଳିଲାନି ପରିଜନଙ୍କ କାନ୍ଧ। ଶେଷରେ ଅନ୍ତିମ ସଂସ୍କାର କଲେ ସ୍ଥାନୀୟ ପ୍ରଶାସନର କର୍ମଚାରୀ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ସମରଝୋଳ ଗାଁର ଡି.ଗୋବିନ୍ଦ ନାମକ ଜଣେ ଯୁବକ ପାରାଦୀପରେ ରହି କାର୍ଯ୍ୟ କରୁଥିଲେ। ଶନିବାର ସେ ଘରକୁ ଆସିଥିବାବେଳେ ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। କୋଭିଡ୍ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରି ମୃତଦେହକୁ ଛୁଇଁ ନଥିଲେ ପରିବାର ଲୋକେ। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ତୁରନ୍ତ ସ୍ଥାନୀୟ ଅଗ୍ନିଶମବାହିନୀକୁ ଆସିବାକୁ ଖବର ଦେଇଥିଲେ। ବଡଖଣ୍ଡି ଗାଁର ରୋଜଗାର ସେବକ ଏବଂ ସେହି ଗାଁର ଅନ୍ୟ ଦୁଇ ସ୍ୱେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ। କରୋନା ମହାମାରୀ ସମୟରେ ଯେଉଁଠି ନିଜ ଲୋକ ପର କରି ଦେଉଛନ୍ତି, ସେଭଳି ସ୍ଥଳେ ସ୍ୱେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

You might also like